
ବଲାଙ୍ଗୀର, ୦୭ ଜାନୁଆରୀ(ହି.ସ.) – ‘ଜଳ ହେଉଛି ଜୀବନ’ ଏହି ସନ୍ଦେଶକୁ ନେଇ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କର ଝରଣା କୂଳରେ ପାଣି ପଂଚାୟତ ସପ୍ତାହ ଉତ୍ସାହ ଓ ସାର୍ଥକତାର ସହ ପାଳିତ ହୋଇଯାଇଛି। ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଓ ସୁସଂଚାଳନର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଧିକ୍ଷଣ ଯନ୍ତ୍ରୀ ରବୀନ୍ଦ୍ରନାଥ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କାଳିନ୍ଦ୍ରୀ ସେଠୀ, ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ସହ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଜଳ ସଂଚୟ, ପାଣି ପଂଚାୟତର ଭୂମିକା ଓ ସଚେତନତା ଉପରେ ଆଲୋକପାତ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ଗଛରେ ପାଣି ଦେଇ ପରିବେଶ ସୁରକ୍ଷାର ସନ୍ଦେଶ ଦିଆଯାଇଥିଲା। ଏହି ଅବସରରେ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସଭାକୁ ଆନନ୍ଦମୟ କରିଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ