
ଭୁବନେଶ୍ୱର, ୦୮ ଜାନୁୟାରୀ (ହି.ସ)- ଓଡ଼ିଶାର ୩ ଟି କୋର୍ଟକୁ ବୋମା ଆକ୍ରମଣର ଧମକ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିବା ସହ ଏହାର ଉପଯୁକ୍ତ ଯାଂଚ ପାଇଁ ଦାବି କରିଛନ୍ତି।
ଏକ୍ସସରେ ନବୀନ ଲେଖିଛନ୍ତି ଇମେଲ ଯୋଗେ ସମ୍ବଲପୁର, କଟକ ଓ ଦେଓଗଡ଼ର ଜିଲ୍ଲା କୋର୍ଟକୁ ବୋମା ଆକ୍ରମଣର ଧମକ ମିଳିଥିବା ଜାଣି ମୁଁ ଗଭୀର ଭାବେ ଚିନ୍ତିତ। ଆମ ନ୍ୟାୟିକ ପ୍ରତିଷ୍ଠାନଗୁଡ଼ିକ ସମେତ ବିଚାରପତି, ଓକିଲ, ମକଦ୍ଦମାକାରୀ, କୋର୍ଟ କର୍ମଚାରୀ ତଥା ସାଧାରଣ ଲୋକଙ୍କ ସୁରକ୍ଷା ସର୍ବୋପରି। ଭାରପ୍ରାପ୍ତ ଅଧିକାରୀମାନେ ମିଳିଥିବା ଧମକର ତ୍ୱରିତ, ପୁଙ୍ଖାନୁପୁଙ୍ଖ ଏବଂ ଉପଯୁକ୍ତ ଯାଂଚ କରନ୍ତୁ। ଧମକ କେଉଁଠୁ ଆସିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ଠାବ କରି ଏହାର ନିଷ୍କର୍ଷ ସର୍ବସମ୍ମୁଖକୁ ଆଣନ୍ତୁ।
ଏପରି ସ୍ଥିତିରେ ମୁଁ ଜନସାଧାରଣଙ୍କୁ ଆହ୍ୱାନ କରୁଛି ସେମାନେ ଶାନ୍ତ ରୁହନ୍ତୁ, ଗୁଜବ ପ୍ରଚାରରୁ ଦୂରେଇ ରୁହନ୍ତୁ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା