


ସୁବର୍ଣ୍ଣପୁର, ୦୮ ଜାନୁଆରୀ(ହି.ସ.) – ସୁବର୍ଣ୍ଣପୁରର ରାମେଶ୍ୱର ଷ୍ଟାଡିୟମଠାରେ ଚାଲିଥିବା ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ- ୨୦୨୬ର ପ୍ରଥମ ବୌଦ୍ଧିକ ଆଲୋଚନାଚକ୍ରରେ ଆଜି ଅଧୁନାତନ ସାମାଜିକ ସମସ୍ୟା ସାଇବର ଅପରାଧ : ପ୍ରଭାବ ଓ ପ୍ରତିକାର’କୁ ନେଇ ଏକ କଥାଚକ୍ର ଅନୁଷ୍ଠିତ ହୋଇଯାଇଛି। ଲୋକ ମହୋତ୍ସବ ପରିସରର ଓରମାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଅଧ୍ୟକ୍ଷତା କରିଥିବାବେଳେ ଆଲୋଚନାଚକ୍ରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ ଅଧୂନାତନ ସମୟରେ ଚାଲିଥିବା ସାଇବର ଅପରାଧରୁ ବର୍ତିବା ପାଇଁ ଜନ ସଚେତନତା ଖୁବ ଜରୁରୀ ବୋଲି ପ୍ରକାଶ କରିଥିଲେ। ଅତିଥି ଆଲୋଚକ ଭାବେ ବରିଷ୍ଠ ପୋଲିସ ଅଧିକାରୀ ରେଣୁକା ସୁନା ଓ ସାଇବର ବିଶେଷଜ୍ଞ ଅଧ୍ୟାପକ ଆଶିଷ ଅଗ୍ରୱାଲା ସାଇବର ଅପରାଧର ସ୍ୱରୂପ,ସୋସିଆଲ ମିଡ଼ିଆର ଦୁରୂପୋଯୋଗ ଓ ବ୍ୟାପକତା ଓ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଜନ ସଚେତନତା ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ। ବିଶେଷକରି ଯୁବଗୋଷ୍ଠୀ ଓ ଉଚ୍ଚଶିକ୍ଷା ଅଧ୍ୟୟନରତ ଛାତ୍ରଛାତ୍ରୀ ସାଇବର କ୍ରାଇମ ପ୍ରତି ସବୁ ସମୟରେ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ଉଭୟ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ବର୍ତମାନର ସମୟରେ ସାଇବର କ୍ରାଇମରୁ ବର୍ତିବାକୁ ପ୍ରତ୍ୟେକ ବ୍ୟକ୍ତି ପ୍ରତିଟି ସମୟରେ ସଜାଗ ରହିବାକୁ ଉଭୟ ଅତିଥି ବକ୍ତା ଆହ୍ୱାନ ଦେଇଥିଲେ। ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବର ଆଲୋଚନାଚକ୍ର ବିଭାଗର ମୁଖ୍ୟ ସଂଯୋଜକ ଗତିକୃଷ୍ଣ ମିଶ୍ର କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ କରିବା ସହ କଥାଚକ୍ରକୁ ପରିଚାଳନା କରିଥିଲେ। ସମ ସାମୟିକ ସାମାଜିକ ସମସ୍ୟା ସାଇବର ଅପରାଧକୁ ନେଇ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଶିଶୁ ଓ ମହିଳା ସୁରକ୍ଷା ଗୋଷ୍ଠୀର ସଦସ୍ୟ ସଦସ୍ୟା ଭାଗ ନେଇଥିବାବେଳେ ଆଲୋଚନାଚକ୍ର କମିଟି ସଦସ୍ୟ ଡ଼.ସୌରଭ ରଞ୍ଜନ ଖମାରୀ ଓ ବେଣୁଧର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ