ଜାଡ଼ରେ ଥରୁଛି କନ୍ଧମାଳ, ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ
Winter News from phulbani
ଜାଡ଼ରେ ଥରୁଛି କନ୍ଧମାଳ, ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ


କନ୍ଧମାଳ, ୦୮ ଜାନୁଆରୀ(ହି.ସ.) – କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଭୀଷଣ ଶୀତର ପ୍ରକୋପ ଜାରି ରହିଛି। ବିଗତ କିଛିଦିନ ହେଲା ଘୁ.ଉଦୟଗିରିରେ ପାରଦ ତଳ ମୁହାଁ ହେଉଥିବାବେଳେ ଏଠାରେ ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀକୁ ଖସି ଆସିଥିବା ଜଣାପଡ଼ିଛି। ପ୍ରବଳ ଥଣ୍ଡା ଅନୁଭୂତ ହେଉ ଥିବା ଯୋଗୁଁ ଜାଡରେ ଥରୁଛି ଘୁ.ଉଦୟଗିରି ଅଂଚଳ। ପାଣିପାଗ ବିଭାଗର ସୂଚନା ଅନୁସାରେ ଗୁରୁବାର ସକାଳେ ଘୁ.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରୀ ରହିଥିବାବେଳେ ଫୁଲବାଣୀ ୫ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ ରହିଥିବା ରେକର୍ଡ଼ ରହିଥିବା ଜଣାପଡ଼ିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘୁ.ଉଦୟଗିରିରେ ପ୍ରବଳ ଶୀତ ଅନୁଭୂତ ହେଉଥିବାବେଳେ ଗୁରୁବାର ସକାଳେ ତାପମାତ୍ରା ସର୍ବନିମ୍ନ ୨.୪ ଡିଗ୍ରୀ ରହି ଚଳିତ ବର୍ଷର ରେକର୍ଡ଼ କରିଛି। ପାହଡ଼ ତଳିଆ ଅଂଚଳରେ ଆହୁରି ଅଧିକ ଥଣ୍ଡା ହେଉଥିବା ନେଇ ଚର୍ଚ୍ଚା ହେଉଛି। ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ଶୀତ ଓ କୋହଲା ପାଗ ଯୋଗୁଁ ରାସ୍ତା ପାର୍ଶ୍ୱରେ ରହି ବ୍ୟବସାୟ କରୁଥିବା ସ୍ଥାନୀୟ ଚାଷୀ, ଦିନ ମଜୁରିଆମାନେ ବେଶୀ ପ୍ରଭାବିତ ହେଉଥିବା ଶୁଣିବାକୁ ମିଳିଛି। ଏଣେ ଶୀତର ମଜା ନେବାପାଇଁ ବାହାରୁ ବହୁ ପର୍ଯ୍ୟଟକ ଆସୁଥିବା ଦେଖା ଯାଇଛି। କାଲିଗାଡୁ ହିଲଟପ, କଫିବଗିଚା, କଳିଙ୍ଗା ଘାଟି ଓ ବଟାନିକାଲ ଗାର୍ଡେନ ଭଳି ବହୁ ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରବଳ ଜାଡ଼ ଯୋଗୁଁ ଦେହ ସାରା ଶିତିକଂଟା ମାରୁଥିବାବେଳେ ଘରୁ ବାହାରିବା କଷ୍ଟକର ହେଉଛି। ସନ୍ଧ୍ୟା ହେବା ମାତ୍ରେ ବଜାର ଖାଁ ଖାଁ ଲାଗୁଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସହର ଓ ଗ୍ରାମାଂଚଳରେ ଲୋକମାନେ ସ୍ଥାନେ ସ୍ଥାନେ ନିଆଁ ଲଗେଇ ବସିଥିବା ଦେଖିବାକୁ ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande