କେବେ ଚାଲିବ ନୂଆ ଡାକ୍ତରଖାନା ? ପଚାରୁଛି ବିଜେଡି
ବୌଦ୍ଧ ଜିଲ୍ଲା ବିଜେଡି ୩ ଦଫାଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ ଜିଲ୍ଲା ବିଜେଡି ୩ ଦଫାଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


ବୌଦ୍ଧ, ୦୯ ଜାନୁଆରି (ହି.ସ.) - ଏକ ବର୍ଷ ରୁ ଅଧିକ ହେଲା ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର । ଲୋକଙ୍କ ସେବା କରିବାର ପ୍ରତିଶୃତି ଦେଇ ଆସିଥିବା ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା କହିଛି ବିଜେଡି । ନବୀନ ସରକାରଙ୍କ ଦ୍ୱାରା ନିର୍ମିତ ନୂତନ ଡାକ୍ତରଖାନଙ୍କୁ କାର୍ଯ୍ୟକ୍ଷମ କରିନପାରିବାରୁ ସରକାର ଓ ପ୍ରଶାସନକୁ ଦାୟୀ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ଆସି ଲୋକାର୍ପିତ କରିବେ ବୋଲି ବହୁ ଆଡମ୍ବର ପୂର୍ଣ୍ଣ ସାଜସଜ୍ଜା ହୋଇଥିଲେ ମଧ୍ୟ ଆରମ୍ଭ ହୋଇନପାରିବା ଘଟଣା ବୌଦ୍ଧବାସୀଙ୍କୁ ଉପହାସିତ କରିଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ପ୍ରଦିପ କୁମାର ଅମାତ। ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାର ସ୍ୱାସ୍ଥ୍ୟସେବା, ମଣ୍ଡିରେ ଚାଷୀଙ୍କ ସମସ୍ୟା ଓ ଲଘୁ ଖଣିଜ ସମ୍ପଦ ବେଆଇନ ଚାଲାଣକୁ ନେଇ ଏକ ୩ ଦଫା ଦାବିପତ୍ର ବିଜେଡି ଜିଲ୍ଲାସଭାପତି ପ୍ରଦିପ କୁମାର ଅମାତଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ବୌଦ୍ଧଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ଅନୁଭବ କରି ତତ୍କାଳିନ ସରକାର ତିନିଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିଥିଲେ , ରଙ୍ଗ କାର୍ଯ୍ୟ ମଧ୍ୟ ସରିଥିଲା । ମାତ୍ର ଦୀର୍ଘ ଏକ ବର୍ଷ ହୋଇଯାଇଥିଲେ ମଧ୍ୟ ତାହାଲୋକଙ୍କ ସେବାରେ ଲୋକାର୍ପିତ ହୋଇପାରିନାହିଁ । ଜାନୁଆରୀ ୪ ତାରିଖରେ ବହୁ ଆଡମ୍ବର ପୂର୍ଣ୍ଣ ସାଜସଜ୍ଜା ହୋଇରହିଥିଲା । ମୁଖ୍ୟମନ୍ତ୍ରୀ ଆସି ଲୋକାର୍ପିତ କରିବେ ବୋଲି ପ୍ରଚାର ହେଲା । ରଙ୍ଗ ବଦଳିଲା । ମଂଚ, ଆଲୋକ,ଫୁଲ ଡାକବାଜି ଯନ୍ତ୍ର ପ୍ରଭୃତି ସାଜସଜ୍ଜା ହେଲା । ମାତ୍ର ବୌଦ୍ଧବାସୀଙ୍କ କାର୍ଯ୍ୟରେ ଆସିପାରିଲା ନାହିଁ । ଏହା କେବଳ ସରକାର ନୁହେଁ ପ୍ରଶାସନର ବିଫଳତା କୁ ଲୋକ ଲୋଚନକୁ ଆସିବା ସହ ବୌଦ୍ଧବାସୀଙ୍କୁ ଉପହାସିତ କରିଛି ।ଏଣୁ ତୁରନ୍ତ ଉକ୍ତ ନୂତନ ଡାକ୍ତରଖାନା ଗୃହ କୁ ବୌଦ୍ଧବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଉା ଜିଲ୍ଲାରେ ଧାନକ୍ରୟ ଯଥେଷ୍ଟ ପଛରେ ଅଛି । ଯଦିଓ ଅନୁକୁଳ ପାଣିପାଗ ଯୋଗୁଁ ଚଳିତ ବର୍ଷ ଉତ୍ପାଦନ ବଢିଛି , ସରକାର ଧାନ କ୍ରୟ ଟାର୍ଗେଟ କୁ ପ୍ରଥମରୁ କମ କରି ଅନ୍ନଦାତାମାନଙ୍କୁ କୁହେଳିକା ମଧ୍ୟରେ ଘୋଡାଇ ରଖିଛନ୍ତି । ଏଯାବତ ସମସ୍ତ ପଂଜିକୃତ ଚାଷୀଙ୍କ ପାଖକୁ ଟୋକନ ଆସିପାରିନାହିଁ, ଦ୍ୱିତୀୟ ଫେଜ ଟୋକନ ମଧ୍ୟ ଆସିଲା ନାହିଁ । ତାରିଖ ସରିବାକୁ ବସିଲାଣି , ମଣ୍ଡିରୁ ଧାନ ଉଠି ପାରୁନାହିଁ । ତୁରନ୍ତ ଏହାର ସାଧାନ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ବୌଦ୍ଧଜିଲ୍ଲାରେ ବିନାଅନୁମତିରେ ବାଲି, ପଥର ପ୍ରତିଦିନ ଶହ ସହ ଟ୍ରିପ ବାଲି ବେଆଇନ ଚାଲାଣ ହେଉଛି । ଖଣି ବିଭାଗ, ରାଜସ୍ୱ ବିଭାଗ, ପୋଲିସ, ପ୍ରଶାସନ ସମସ୍ତେ ନିରବତା ଅବଲମ୍ବନ କରି ଏହି ମହାଲୁଟରେ ସମସ୍ତେ ଯେମିତି ସାମିଲ, ସେମିତି ବାହାରକୁ ଜଣାପଡୁଛି । ଠିକ ସେହିଭଳି ସମସ୍ତ ଆଇନକାନୁନକୁ ଉଲ୍ଲଙ୍ଘନ କରି ବୌଦ୍ଧ ତହସିଲର ଗୁନ୍ଦୁଳିଆ ପଂଚାୟତର ସାଲେପଡା ଓ ଗୋଚ୍ଛାପଡା ପଂଚାୟତର ଲୁମ୍ବରଜେନା ଗ୍ରାମରେ ମଧ୍ୟ ଖଣିକୁ ଶାଗମାଛ ଦରରେ ବିନା ପଲ୍ଲିସଭା, ଗ୍ରାମସଭାରେ ପ୍ରଦାନ କରାଯାଇଛି ବୋଲି ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ନେତା ଧୂରୀଣ କୁମାର ଦେହୁରୀ, ଅଶୋକ କୁମାର ସାହୁ, ପୌରାଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର,ସୁବୋଧ ପ୍ରଧାନ, ପଂଚାନନ ମହାପାତ୍ର, ଯୋଗେଶ୍ୱର ମହାକୁଡ, ଅମ୍ରିତ ପ୍ରଧାନ, ଅନିକେତ ଦାନୀ ପ୍ରମୁଖ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande