
Bhubaneswar, 09 ଜାନୁଆରି (ହି.ସ.)
ସୂଚନା ଅଧିକାର ଆଇନ (ଆରଟିଆଇ) ସଂପର୍କରେ ତାଲିମ ନେଲେ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ବରିଷ୍ଠ ଅଧିକାରୀ, ଉପବିଭାଗୀୟ ମୁଖ୍ୟ, ଇଂଜିନିୟର, ଡାକ୍ତର ପ୍ରମୁଖ । ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରା, ଡେପୁଟି କମିଶନର ସୁଶ୍ରୀ ରୁବି ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।
ସୂଚନା ଅଧିକାର ଆଇନ ସଂପର୍କରେ ତାଲିମ ଦେବା ପାଇଁ ବରିଷ୍ଠ ପ୍ରଶାସକ ତଥା ଆରଟିଆଇ ବିଶେଷଜ୍ଞ ଶ୍ରୀ ପ୍ରଭାସ ରଂଜନ ଗିରି ଏବଂ ଆରଟିଆଇ ବୈଷୟିକ ବିଶେଷଜ୍ଞ ଶ୍ରୀ ସୁନୀଲ କୁମାର ସେଠୀ ତାଲିମ ଦେଇଥିଲେ । ଶ୍ରୀ ଗିରି ଆରଟିଆଇ କାର୍ଯ୍ୟକାରୀ ସଂପର୍କରେ ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟଙ୍କର ଅନେକ ଉଦାହରଣ ଦେଇଥିଲେ । କେଉଁ କେଉଁ ମାମଲା ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇଛି, ଆଉ କେଉଁ କେଉଁ ମାମଲାର ତଥ୍ୟ ଦେବା ଦରକାର, କେଉଁଟା ଦିଆଯାଇ ପାରିବ ନାହିଁ ସେ ସଂପର୍କରେ ଅବଗତ କରାଇଥିଲେ । କେବଳ ସେତିକି ନୁହେଁ, କେଉଁ ମାମଲର ସୂଚନା କେତେ ଦିନ ମଧ୍ୟରେ ଦେବାର ନିୟମ ରହିଛି ଏବଂ କେଉଁ କେଉଁ ତଥ୍ୟ ପାଇଁ କେତେ ଅର୍ଥ ଆବେଦନକାରୀଙ୍କୁ ଜମା କରିବାକୁ ପଡିବ, ତାର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ତାଲିମ ପରେ ପ୍ରଶ୍ନୋତ୍ତର ରାଉଣ୍ଡ ରହିଥିଲେ । ଏଥିରେ ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପ୍ରଶିକ୍ଷକ ଶ୍ରୀ ଗିରି ଉତ୍ତର ମାଧ୍ୟମରେ ସମସ୍ତଙ୍କର ସଂଦେହ ମୋଚନ କରିଥିଲେ ।
ସେହିପରି ଅତ୍ୟାଧୁନିକ ତଥା ବୈଷୟିକ ଯୁଗରେ ସୂଚନା ଅଧିକାର ଆଇନ କପରି କାର୍ଯ୍ୟକାରୀ ହେଉଛି ସେ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ ଏହାର କାର୍ଯ୍ୟକାରିତା ବ୍ୟାପକ ଆକାର ଧାରଣ କରିବାକୁ ଯାଉଛି । ଅପରପକ୍ଷେ ବୈଷୟିକ କ୍ଷେତ୍ରରେ କେଉଁ କେଉଁ ତଥ୍ୟ ଦେଇହେବ, କେଉଁ କେଉଁ ଧାରା ରହିଛି, ସେ ସଂପର୍କରେ ଅବଗତ କରାଇଥିଲେ । ସମସ୍ତ ଅଧିକାରୀ ଖାସ୍ କରି ଆରଟିଆଇ ଦାୟିତ୍ୱରେ ରହିଥିବା ଅଧିକାରୀ ବିଶେଷ ଭାବେ ଜାଣିବା ଦରକାର ବୋଲି କହିଥିଲେ । ଏହି ତାଲିମ ପରେ ଅନେକ ତଥ୍ୟ ଶିକ୍ଷାଲାଭ କରିଥିବା କହିଛନ୍ତି ପ୍ରଶିକ୍ଷଣ ନେଉଥିବା ଅଧିକାରୀ । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡେପୁଟି କମିଶନର ରଶ୍ମୀରେଖା ଅମାନ୍ତ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା