
ଜୟପୁର, ୯ ଜାନୁଆରୀ (ହି.ସ.)- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ହାଟପଦା ଠାରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି। ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସବୁଜିମା ଉତ୍ପାଦକ କମ୍ପାନୀ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସବୁଜିମା କମ୍ପାନୀର ଅଧ୍ୟକ୍ଷା ମଣୀ ମାଝୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ବିଡ଼ିଓ ସୁବ୍ରତ ସାହୁ, ଉପାଧ୍ୟକ୍ଷା ପୂର୍ଣ୍ଣିମା ବାରିକ, ଜିଲ୍ଲା ପରିଷଦ ସଭ୍ୟା ମଣୀ ଜାନୀ, ନବରଙ୍ଗପୁର ସାଂସଦ ପ୍ରତିନିଧି ନରେନ୍ଦ୍ର କାନ୍ଦଲିଆ, କୋଟପାଡ଼ ବିଧାୟକ ପ୍ରତିନିଧି ସିଏଚ୍ ପ୍ରଭାକର ରାଓ, କୋରାପୁଟ ବିଧାୟକ ପ୍ରତିନିଧି ଉମେଶ ପଟ୍ଟନାୟକ, ସରପଞ୍ଚ ସୂର୍ଯ୍ୟମଣି ନାୟକ, ସମିତି ସଭ୍ୟା ମଞ୍ଜୁଲତା ପଟ୍ଟନାୟକ, ବ୍ଲକ କୃଷି ଅଧିକାରୀ, ଓ୍ବାସନ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସିଓ୍ବାଏଡି ସାଉଥ୍ ଓଡ଼ିଶା ସଂଯୋଜକ ରମେଶ ଚନ୍ଦ୍ର ସ୍ବାଇଁ, ଟିଡିସିସି ସଂଯୋଜକ ଆଶୁତୋଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ବ୍ଲକରେ ବୈପାରିଗୁଡା, ବାଲିଗାଁ, ରାମଗିରି ଏବଂ ଦଶମନ୍ତପୁର ଭଳି ୪ ସ୍ଥାନରେ ମାଣ୍ଡିଆ ମଣ୍ଡି ରହିଥିବା ବେଳେ ୪ଟି ମଣ୍ଡିରୁ ୪୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ମାଣ୍ଡିଆ ବିକ୍ରୀ ପାଇଁ ୨୯୮୫ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଆଜି ୭ ଜଣ ଚାଷୀଙ୍କ ଠାରୁ ୧୩୭ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଛି। ସିଓ୍ବାଏସଡିର ସମସ୍ତ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବୈପାରିଗୁଡା ପୁଲିସ ମୁତୟନ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି