କନ୍ଧମାଳ ମହୋତ୍ସବରେ ସ୍ଵାସ୍ଥ୍ୟ ଓ ପୋଷଣ କ୍ୟାଲେଣ୍ଡର ଉନ୍ମୋଚିତ
Nutrition calender inaugurated in KANDHAMAL Mahochab
କନ୍ଧମାଳ ମହୋତ୍ସବରେ ସ୍ଵାସ୍ଥ୍ୟ ଓ ପୋଷଣ କ୍ୟାଲେଣ୍ଡର ଉନ୍ମୋଚିତ


କନ୍ଧମାଳ, ୯ ଜାନୁଆରୀ (ହି.ସ.)- ଫୁଲବାଣୀ ଠାରେ ଆୟୋଜିତ କନ୍ଧମାଳ ମହୋତ୍ସବ ଓ ପଲିଶ୍ରୀ ମେଳା–୨୦୨୫ ଅବସରରେ ବାଲ ରକ୍ଷା ଭାରତ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରସ୍ତୁତ ସ୍ୱାସ୍ଥ୍ୟ ଓ ପୋଷଣ କ୍ୟାଲେଣ୍ଡରର ଉନ୍ମୋଚନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ କରକମଳରେ କ୍ୟାଲେଣ୍ଡରକୁ ଔପଚାରିକ ଭାବରେ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ, ବାଲିଗୁଡା ଉପ-ଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାଶ, ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଗଦାଧର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ, ଫୁଲବାଣୀ ବନ ଅଧିକାରୀ ଏବଂ ବାଲ ରକ୍ଷା ଭାରତର ରାଜ୍ୟ ମୁଖ୍ୟ ଅଭିଜିତ ଭଦ୍ର ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କ୍ୟାଲେଣ୍ଡର ମାଧ୍ୟମରେ ଗର୍ଭାବସ୍ଥାରୁ ଶିଶୁର ଦ୍ୱିତୀୟ ଜନ୍ମଦିନ ପର୍ଯ୍ୟନ୍ତ ପ୍ରଥମ ୧୦୦୦ ଦିନର ସ୍ୱାସ୍ଥ୍ୟ ଓ ପୋଷଣର ଗୁରୁତ୍ୱ ବିଷୟରେ ସାଧାରଣ ଲୋକ, ମାଆ ଓ ଯତ୍ନଦାତାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରହିଛି।

ବାଲ ରକ୍ଷା ଭାରତର ଏହି ପ୍ରୟାସ ମାଧ୍ୟମରେ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।ଜିଲ୍ଲାପାଳଙ୍କ ଅନୁରୋଧରେ ଏହି କ୍ୟାଲେଣ୍ଡରକୁ ଗର୍ଭବସ୍ଥାର ପ୍ରଥମ ମାସରେ ହିଁ ପଞ୍ଜିକରଣ କରାଇଥିବା ମହିଳା ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଦାନ କରାଯିବ। ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପଛରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ. ସନ୍ତୋଷ କୁମାର ପାଢ଼ୀଙ୍କ ପ୍ରଚେଷ୍ଟା ରହିଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande