

ମାଲକାନଗିରି, ୧ ଅକ୍ଟୋବର (ହି.ସ.)- ରାଜ୍ୟସ୍ତରୀୟ ଓପନ୍ ଷ୍ଟେଟ୍ ଜୁଡୋ ଚାମ୍ପିୟନଶିପ୍–୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ମାଲକାନଗିରି ଜିଲ୍ଲାର ୨୭ ଜଣିଆ ଜୁଡୋ ଦଳ ଆଜି ସମ୍ବଲପୁର ଗସ୍ତ କରିଛି। ଆସନ୍ତା ଅକ୍ଟୋବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ମ୍ୟୁଜିୟମ ନିକଟ ଗଙ୍ଗାଧର ମଣ୍ଡପଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟ ଜୁଡୋ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସବ୍ଜୁନିୟର, କ୍ୟାଡେଟ୍, ଜୁନିୟର ଓ ବରିଷ୍ଠ ବର୍ଗର ଖେଳାଳିମାନେ ବିଭିନ୍ନ ବିଭାଗରେ ଭାଗନେବେ। ଆଓମା ଗୁରୁକୁଳ ଓ ଜୁଡୋ ଆସୋସିଏସନ୍ ପକ୍ଷରୁ ମାଲକାନଗିରିର ବିଭିନ୍ନ ଅଞ୍ଚଳରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯାଇ ନିୟମିତ ପ୍ରଶିକ୍ଷଣ ଦିଆଯାଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଇଛି।
ଦଳରେ ସବ୍ଜୁନିୟର ବର୍ଗରେ ୮ ଜଣ, କ୍ୟାଡେଟ୍ ବର୍ଗରେ ୪ ଜଣ, ଜୁନିୟର ବର୍ଗରେ ୩ ଜଣ ଏବଂ ବରିଷ୍ଠ ପୁରୁଷ ଓ ମହିଳା ବର୍ଗରେ ୮ ଜଣ ଖେଳାଳି ରହିଛନ୍ତି। ଦଳ ସହ ଟିମ୍ ମ୍ୟାନେଜର ରାମ ମାଡକାମୀ, ସହକାରୀ ମ୍ୟାନେଜର ଅର୍ଜୁନ ଖରା, ପୁରୁଷ କୋଚ୍ ଚନ୍ଦ୍ରଶେଖର ପୂଜାରୀ ଏବଂ ମହିଳା କୋଚ୍ ଲକ୍ଷ୍ମୀ ସୋଡ଼ି ଗସ୍ତ କରିଛନ୍ତି। ଏହି ଖେଳାଳିମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ଅନୁଷ୍ଠାନରୁ ଆସିଥିବା ବେଳେ ଅନେକ ଖେଳାଳି ଆଦିବାସୀ ସମ୍ପ୍ରଦାୟର। ସେମାନଙ୍କ ମଧ୍ୟରେ କେତେକ ଅନାଥ ଓ ଏକକ ଅଭିଭାବକଙ୍କ ସନ୍ତାନ ମଧ୍ୟ ରହିଛନ୍ତି। ଏହି ପିଲାମାନଙ୍କୁ ପ୍ରଶିକ୍ଷଣ ଓ ଚୟନ ପ୍ରକ୍ରିୟାରେ ସାମିଲ କରିବାରେ ଆଓମା ଗୁରୁକୁଳ ଓ ଜୁଡୋ ଆସୋସିଏସନ୍ର ସଦସ୍ୟମାନଙ୍କ ସହ ସରିତା ହରିଜନ, ରଶ୍ମି ମାଡକାମୀ, ନକୁଳ କିରିଶାନୀ, ଗୁରୁନାଥ ଓ ସୂର୍ଯ୍ୟକାନ୍ତି ପ୍ରମୁଖ ସହଯୋଗ କରିଛନ୍ତି।
ଖେଳାଳିମାନଙ୍କ ଗସ୍ତ ପୂର୍ବରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଆଓମା ସଭାପତି ରତ୍ନାକର ଦାଶ, ଜିଲ୍ଲା ଜୁଡୋ ଆସୋସିଏସନ୍ ର ଉପସଭାପତି ଚିନ୍ନା ରାଓ, ଅବସରପ୍ରାପ୍ତ ତହସିଲଦାର ଶଶାଙ୍କ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଳାଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ସ୍ୱେଚ୍ଛାସେବୀ ସାଗର ବାବୁ ଓ ଛବି ଦାଶ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଫୁଲତୋଡ଼ା, ମିଠା ଓ ଗସ୍ତ ଖର୍ଚ୍ଚ ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହାସହ ଆଓମା ଗୁରୁକୁଳ ଓ ଜୁଡୋ ଆସୋସିଏସନ୍ର ସଦସ୍ୟ ରାଜା ଆର୍ଟସ୍, ମହେଶ ଛତ୍ରୀ, ରମ୍ୟରଞ୍ଜନ ପରିଡ଼ା ଓ ଜୟନ୍ତୀ ବୁରୁଦାଙ୍କ ସମେତ ଜିଲ୍ଲା ପରିଷଦ, ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜୁଡୋ ଦଳକୁ ଶୁଭେଚ୍ଛା ଜଣାଯାଇଛି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମାଲକାନଗିରି ଦଳର ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗର୍ଵ ଗୌରବ ଆଣିବେ ବୋଲି ଅନୁଷ୍ଠାନ ତରଫରୁ ବିନାଶ କୁମାର ମିଶ୍ର ଆଶା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ