

ସମ୍ବଲପୁର, ୦୧, ଅକ୍ଟୋବର (ହି.ସ.) ଚଳିତ ବର୍ଷ ଆଗାମୀ ଦୁର୍ଗାପୂଜା ଓ ଦୀପାବଳି ପର୍ବ ପାଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ଓ ସମନ୍ୱିତ ଉତ୍ସବ ନିଶ୍ଚିତ କରିବା ପାଇଁ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଏକ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରିଙ୍କ ସମେତ ଶାନ୍ତି ଓ ସମନ୍ୱୟ କମିଟି ସଦସ୍ୟମାନେ, ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଏବଂ ସମ୍ବଲପୁର ଅଂଚଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଜିଲ୍ଲାରେ ଦୁର୍ଗାପୂଜା ଓ ଦୀପାବଳି କିପରି ଶାନ୍ତି ଶ୍ରୁଙ୍ଖଳା ର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା। ଉକ୍ତ ବୈଠକ ରେ ଆଇନ ଶ୍ରୁଙ୍ଖଳା ରକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ, ଉତ୍ସବ ଦିନରେ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବେଆଇନ ଓ ନକଲି ମଦ ବିକ୍ରି ଉପରେ ପ୍ରତିଷେଧକ ପଦକ୍ଷେପ ନେବା, ଆଖପାଖ ଅଂଚଳରେ ଅଗ୍ନିକାଣ୍ଡ ରୋକିବା ପାଇଁ ତ୍ୱରାନିତ୍ୱ ପଦକ୍ଷପ ନେବା ଆଦି ପ୍ରସଙ୍ଗ ଉପରେ ଆଲୋଚୋନା ହୋଇଥିଲା। ସୂଚନା ଅନୁଯାୟୀ ଦେବୀଙ୍କ ବିସର୍ଜନ ଶୋଭାଯାତ୍ରା ଅକ୍ଟୋବର ୨୨ ଏବଂ ୨୩ ରେ କରିବାକୁ ନିଷ୍ପତି ନିଆଯାଇଛି। ପରିବେଶ ଅନୁକୂଳ ପୂଜା ମଣ୍ଡପ ନିର୍ମାଣ କରିବାଉପରେ ଗୁରୁତ୍ୱରୋପ କରଯାଇଥିଲା। ଗତବର୍ଷ ପୂଜାରେ ଜିଲ୍ଲାସ୍କୁଲ ଛକ ପୂଜା କମିଟି ପ୍ରଥମ ସ୍ଥାନ ଓ ରେଲ ନଗର ପୂଜକମିଟି ଦ୍ୱିତୀୟ ହୋଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବୋନ୍ଦର ସମସ୍ତ ସଂପୃକ୍ତ ଅଧିକାରୀଙ୍କୁ ନିଜ ଦାୟୀତ୍ୱ ସଠିକ୍ ଭାବେ ପରିଚାଳନା କରିବାକୁ କହିଥିଲେ। ମୁଖ୍ୟତଃ ସେ, ପୂଜା ସମୟରେ ସମ୍ବଲପୁର ର ଅଧିରକ ଜନସମାଗମ ହେତୁ ଆଲୋକ ଓ ପରିମଳ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରିବା ସହିତ ସ୍ୱଚ୍ଛତା ଉପରେ ବେଶୀ ଧ୍ୟାନ ଦେବାକୁ କହିଥିଲେ।ପୂଜା ମଣ୍ଡପ ଗୁଡିକୁ ତଦାରଖ କରି କୌଣସି ଅଘଟଣର ତତ୍କାଳ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗକୁ କହିଥିଲେ ।ଶୀତଳ ଷଷ୍ଠୀ ସମୟରେ ଯେଉଁ ନମ୍ୱର୍ ଦିଆଯାଇଥିବା ନମ୍ୱର୍ ରେ ଯୋଗାଯୋଗ କରି ନିଜ ଅଂଚଳ ର ପୂଜା ସମ୍ବର୍ଦ୍ଧିତ ସମସ୍ୟା ଜଣାଇବାକୁ କହିଥିଲେ, କହିଥିଲେ ଉପୁଜିଥିବା ସମସ୍ୟା ର ସମାଧାନ ପାଇଁ ସବୁ ପ୍ରକାର ସହଯୋଗ କରିବୁ। ମା’ଙ୍କ ଆଗମନ ପୂର୍ବରୁ ସମଗ୍ର ଅଂଚଳକୁ ସ୍ୱଚ୍ଛ ରଖିବା ପାଇଁ ସହର ଓ ଗ୍ରାମାଂଚଳରେ ଏକ ବ୍ୟାପକ ମାସ୍ ସାନିଟେସନ୍ ଡ୍ରାଇଭ୍' ଆରମ୍ଭ କରାଯିବ। ଏହି ଅଭିଯାନ ଅଧୀନରେ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ସମେତ ୧୦୦ଟି ସ୍ଥାନରେ ପ୍ରତି ସ୍ଥାନରୁ ପ୍ରାୟ ୨୦୦ ଜଣ ନାଗରିକଙ୍କୁ ସାମିଲ କରାଯାଇ ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି। ଏହା ସହିତ ଗୋବିନ୍ଦତୋଳା ଓ ରିଙ୍ଗ୍ ରୋଡ୍ ଭଳି ପ୍ରମୁଖ ସ୍ଥାନମାନଙ୍କରେ ଷ୍ଟ୍ରିଟ୍ ଲାଇଟ୍ ମରାମତି ଏବଂ ପରିଚାଳନା କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି। ସହରରେ ଗ୍ୟାସ୍ ପାଇପ୍ଲାଇନ୍, ଡ୍ରେନେଜ୍, ସ୍ୱେରେଜ୍ ଓ ୨୪/୭ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଚାଲୁ ରହିବା ଏବଂ ପ୍ରବଳ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ରାସ୍ତାଗୁଡ଼ିକର ମରାମତି ପାଇଁ ମଧ୍ୟ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଅନ୍ୟପକ୍ଷରେ, ପୂଜା ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମସ୍ତ ପୂଜା ମଣ୍ଡପରେ ଶତପ୍ରତିଶତ ଅଗ୍ନି ନିର୍ବାପକ ନିୟମାବଳୀ (ଫାୟାର୍ ସେଫ୍ଟି ନର୍ମସ) ପାଳନ କରିବା ଏବଂ ବିଶେଷକରି ନବମୀ ଓ ଦଶମୀ ଭଳି ଜନଗହଳି ପୂର୍ଣ୍ଣ ଦିନଗୁଡ଼ିକରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ସିଲିଣ୍ଡର ମହଜୁଦ ରଖିବାକୁ କମିଟିଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ସିଡିଏମଓଙ୍କ ମାଧ୍ୟମରେ ଆମ୍ବୁଲାନ୍ସ ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଯିବ। ଏହାସହ ପ୍ରସାଦ ସେବନ ସ୍ଥଳରେ ପର୍ଯ୍ୟାପ୍ତ ଡଷ୍ଟବିନ୍ ରଖିବା ଏବଂ ଆବର୍ଜନା ତୁରନ୍ତ ସଫେଇ ପାଇଁ ମହାନଗର ନିଗମ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ଅନୁରୋଧ କରାଯାଇଛି। ଶେଷରେ, ପୂଜା ପରବର୍ତୀ ବିସର୍ଜନ ଶୋଭାଯାତ୍ରା କ୍ରମାଗତ ଅନେକ ଦିନ ଧରି ଚାଲିବା ଦ୍ୱାରା ଟ୍ରାଫିକ୍ ଓ ପୋଲିସ ପ୍ରଶାସନ ଉପରେ ଚାପ ପଡୁଥିବାରୁ, ଶୀତଳଷଷ୍ଠୀ ଢାଂଚାରେ ଏକ ନିର୍ଦ୍ଦିଷ୍ଟ ଦିନ ସ୍ଥିର କରି ସମସ୍ତ ମେଢ଼ର ବିସର୍ଜନକୁ ଅତି ଶୃଙ୍ଖଳିତ ଭାବେ ସମାପ୍ତ କରିବାକୁ ସମସ୍ତ ପୂଜା କମିଟି ଓ ସାଧାରଣ ଜନତାଙ୍କ ପୂର୍ଣ୍ଣ ସହଯୋଗ କାମନା କରାଯାଇଛି। ଆରକ୍ଷୀ ଅଧିକ୍ଷକ ଦୁର୍ଗାପୂଜା ସମୟରେ ପାର୍କିଂ ସ୍ଥଳ ଚିହ୍ନଟ ହୋଇସାରିଛି ଏବଂ ପାଗ ଭଲ ଥିବାରୁ ଲୋକେ ଗାଡ଼ି ରଖି ଚାଲି ଚାଲି ବୁଲିପାରିବେ ବୋଲି ସେ ପ୍ରକାଶ କରିଥିଲେ। ଏହା ସହିତ ସେ ଡିଜେ ବଦଳରେ ସ୍ଥାନୀୟ ଢୋଲ, ପାରମ୍ପରିକ ବାଦ୍ୟଯନ୍ତ୍ର ଏବଂ ଲୋକକଳାକୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ପୂଜା କମିଟିଗୁଡ଼ିକ ନିଜ ସୁବିଧା ଅନୁସାରେ ଅଲଗା ଅଲଗା ଦିନ ଭସାଣି ନକରି, ଗୋଟିଏ ନିର୍ଦ୍ଦିଷ୍ଟ ଦିନ ଏବଂ ଚିହ୍ନଟ ରୁଟ୍ରେ ଭସାଣି କରିବା ଉଚିତ, ଯାହାଦ୍ୱାରା ପୋଲିସ ସେହି ରୁଟ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିପାରିବ ଏବଂ ସହରରେ ଆଇନ ଶୃଙ୍ଖଳା ତଥା ପାଟ୍ରୋଲିଂ ବ୍ୟବସ୍ଥା ବ୍ୟାହତ ହେବ ନାହିଁ। ଶେଷରେ, ସମସ୍ତ ପୂଜା କମିଟିକୁ ନିୟମାନୁଯାୟୀ ଅନୁମତି ପତ୍ର ନେବା, ପେଣ୍ଡାଲରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ଏବଂ ସୀମିତ ପୋଲିସ ବଳ ଥିବାରୁ କମିଟିର ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରି ପ୍ରଶାସନ ସହ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଥିଲେ। ସମ୍ବଲପୁର ମହାନଗର ନିଗମ କମିଶନର ଉପସ୍ଥିତ ସମସ୍ତ ଅଧିକାରୀ, ପୂଜା କମିଟି ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ନିଗମ ପକ୍ଷରୁ ସେବା ଯୋଗାଣ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ସହରର ସ୍ୱଚ୍ଛତା ପାଇଁ ସବୁ ଜୋନାଲ ଅଫିସରଙ୍କ ସହ ବୈଠକ ସରିଛି; ପୂଜା ପେଣ୍ଡାଲଗୁଡ଼ିକରୁ ରାତିରେ ଅଳିଆ ଉଠାଇବା ସହ ଏକ ସ୍ୱତନ୍ତ୍ର ଗାଡ଼ି ଓ ସାନିଟେସନ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ପେଣ୍ଡାଲ ନିକଟସ୍ଥ ଖାଲଖମା ରାସ୍ତା ମରାମତି ଓ ପେଭର କାମ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଉପଯୁକ୍ତ ଆଲୋକୀକରଣ ପାଇଁ ଇଲେକ୍ଟ୍ରିକାଲ ଟିମ୍ ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ବିଦ୍ୟୁତ ଓ ଅଗ୍ନି ନିରାପତାକୁ ପ୍ରାଥମିକତା ଦେବା ସହ ପେଣ୍ଡାଲ, ପାର୍କିଂ ଓ ରାସ୍ତା ପାର୍ଶ୍ୱରେ ସକ୍ରିୟ ସିସିଟିଭି କ୍ୟାମେରା ଲଗାଇବାକୁ ସେ କମିଟିମାନଙ୍କୁ ଅନୁରୋଧ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ