ଫେରୱେଲ୍ ଚାଲିଲା, ଚୁଲି ଜଳିଲାନି: ଭୋକିଲା ଘରକୁ ଫେରିଲେ ୩୫ ଛାତ୍ରଛାତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କଲେ ଏବିଇଓ
ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବର ବାହାନାରେ ସ୍କୁଲରେ ବନ୍ଦ ରହିଲା ମଧ୍ୟାହ୍ନ ଭୋଜନ। ଫଳରେ ଭୋକିଲା ପେଟରେ ଘରକୁ ଫେରିଲେ ପ୍ରାୟ ୩୦ରୁ ୩୫ ଜଣ କୋମଳମତି ଛାତ୍ରଛାତ୍ରୀ। ଧାମନଗର ବ୍ଲକ ରାଧାବଲ୍ଲଭପୁରସ୍ଥିତ ଜାଗୁଳାଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହ
BHOKILA FERILE 35 CHATRACHATRI


ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବର ବାହାନାରେ ସ୍କୁଲରେ ବନ୍ଦ ରହିଲା ମଧ୍ୟାହ୍ନ ଭୋଜନ। ଫଳରେ ଭୋକିଲା ପେଟରେ ଘରକୁ ଫେରିଲେ ପ୍ରାୟ ୩୦ରୁ ୩୫ ଜଣ କୋମଳମତି ଛାତ୍ରଛାତ୍ରୀ। ଧାମନଗର ବ୍ଲକ ରାଧାବଲ୍ଲଭପୁରସ୍ଥିତ ଜାଗୁଳାଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସାରା ଜିଲ୍ଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟର ଶିକ୍ଷକ ସୁକାନ୍ତ ନାୟକଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ମିଶି ଗତ ସେପ୍େଟମ୍ବର ୧୮ ତାରିଖରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରିଥିଲେ। ତେବେ ସେହିଦିନ ବିଦ୍ୟାଳୟରେ ସରକାରୀ ଛୁଟି ନଥିଲେ ମଧ୍ୟ ଶିକ୍ଷକମାନେ ସମ୍ବର୍ଦ୍ଧନା ସଭାରେ ବ୍ୟସ୍ତ ରହିବାରୁ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇନଥିଲା। ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀମାନେ ଭୋକିଲା ଅବସ୍ଥାରେ ଘରକୁ ଫେରିଯାଇଥିଲେ। ଜଣେ ସଚେତନ ନାଗରିକ ଏହି ଖବରକୁ ଭଦ୍ରକ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଗଣଶିକ୍ଷା ବିଭାଗକୁ ଟ୍ୱିଟ୍ କରି ଅବଗତ କରାଇଥିଲେ। ସେପ୍ଟେମ୍ବର ୧୯ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଗୁରୁତ୍ୱର ସହ ନେଇ ଭଦ୍ରକ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ସେପ୍ଟେମ୍ବର ୨୨ରେ ଜିଲ୍ଲାପାଳ ଏହାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ପଠାଇଥିଲେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ, ଧାମନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ଏବିଇଓ ସତ୍ୟସୁନ୍ଦର ପରିଡ଼ା ଜାଗୁଳାଇ ନୋଡାଲ ସ୍କୁଲରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ସେଠାରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର ସେଠୀ ୪ରୁ ୫ ଜଣ ଅଭିଭାବକଙ୍କ ସାହାଯ୍ୟରେ ଏକ ଲିଖିତ ପତ୍ର ଏବିଇଓଙ୍କୁ ପ୍ରଦାନ କରିଥିଲେ। ସେଥିରେ ଦାବି କରାଯାଇଛି ଯେ, ସମ୍ବର୍ଦ୍ଧନା ସଭା ପରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ତେବେ ଅନ୍ୟ ବହୁ ସଂଖ୍ୟକ ଅଭିଭାବକ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ସେପ୍ଟେମ୍ବର ୧୮ରେ କୌଣସି ରୋଷେଇ ହୋଇନଥିଲା ଏବଂ ପିଲାମାନେ ଉପାସରେ ଘରକୁ ଫେରିଥିଲେ। ପ୍ରଧାନଶିକ୍ଷକ ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଆଜି ସ୍କୁଲରେ ପହଂଚି ପ୍ରାରମ୍ଭିକ ତଦନ୍ତ କରାଯାଇଛି। ତଦନ୍ତ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ ହେବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ ବୋଲି ଏବିଇଓ ସତ୍ୟସୁନ୍ଦର ପରିଡ଼ା କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande