


ସମ୍ବଲପୁର, ୦୨, ଅକ୍ଟୋବର (ହି.ସ.) ଶୁକ୍ରବାର ପୂର୍ବାହ୍ନରେ ସମ୍ବଲପୁର ଜିଲ୍ଲାପାଳଙ୍କ ପ୍ରେକ୍ଷାଳୟର ଏସଏସଏ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଏବଂ ବିଶିଷ୍ଟ ବକ୍ତା ରାମାନୁଜ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ବକ୍ତବ୍ୟ ରଖି କହିଥିଲେ ଯେ, ଜୀବନରେ ଆତ୍ମ-ଶୃଙ୍ଖଳାର ମହତ୍ତ୍ୱ ଅତୁଳନୀୟ। କ୍ରୀଡ଼ା, ସ୍ଲୋଗାନ ଏବଂ ସମୂହ ଗାନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ଏହି ଶୃଙ୍ଖଳା ଓ ଏକତାକୁ ବଜାୟ ରଖାଯାଇପାରିବ। ଏହା ସହିତ ସେ ଗାନ୍ଧୀ ଚିନ୍ତାଧାରାର ପ୍ରାସଙ୍ଗିକତା ଏବଂ ଗାନ୍ଧିଜୀଙ୍କ ଆତ୍ମଜୀବନୀ 'ମାଇଁ ଏକ୍ସପେରିମେଣ୍ଟସ ୱିଥ୍ ଟ୍ରୁଥ୍' 'ସତ୍ୟ ସହିତ ମୋର ପ୍ରୟୋଗ' ପୁସ୍ତକ ପଢିବା ପାଇଁ ପରାମର୍ଶ ଦେଇଥିଲେ। ପିତା-ମାତାଙ୍କ ପ୍ରତି କର୍ତ୍ତବ୍ୟ, ସତ୍ୟ ଓ ନିଷ୍ଠାର ମାର୍ଗ ଅନୁସରଣ କରିବାକୁ ଉପସ୍ଥିତ ସମସ୍ତଙ୍କୁ, ବିଶେଷକରି ଯୁବପିଢ଼ିଙ୍କୁ ପ୍ରେରଣା ଦେଇଥିଲେ।
ଶ୍ରୀ ପଣ୍ଡା ମୁଖ୍ୟବକ୍ତା ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନ ସଂଗ୍ରାମ, ତାଙ୍କର କାଳଜୟୀ ନୀତି ଓ ବିଭିନ୍ନ ବହୁମୁଖୀ ପ୍ରତିଭା ସମ୍ପର୍କରେ ଶ୍ରଦ୍ଧାପୂର୍ବକ ଆଲୋକପାତ କରିଛନ୍ତି। ମୁଖ୍ୟ ବକ୍ତା ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ ଗାନ୍ଧୀଜୀ କେବଳ ଜଣେ ଜାତୀୟ ନେତା ନଥିଲେ, ବରଂ ଜଣେ ସଫଳ ସାମ୍ବାଦିକ, ଶ୍ରମର ମର୍ଯ୍ୟାଦା ରଖୁଥିବା ବୁଣାକାର ଏବଂ ସମାଜ ସଂସ୍କାରକ ଭାବେ ତାଙ୍କର ଅବଦାନ ମାନବ ଜାତି ପାଇଁ ଚିର ସ୍ମରଣୀୟ।ସାମ୍ବାଦିକତା କ୍ଷେତ୍ରରେ ଗାନ୍ଧୀଜୀଙ୍କ ଭୂମିକା ସମ୍ପର୍କରେ ଚର୍ଚ୍ଚା କରି ମୁଖ୍ୟ ବକ୍ତା କହିଥିଲେ ଯେ ତାଙ୍କ ନିଜ ପତ୍ରିକା ମାଧ୍ୟମରେ ସେ ନିର୍ଭୀକ, ସତ୍ୟସନ୍ଧ ଓ ନିରପେକ୍ଷ ସାମ୍ବାଦିକତାର ପ୍ରତିଷ୍ଠା କରିଥିଲେ। ତାଙ୍କ ପାଇଁ ସାମ୍ବାଦିକତା କୌଣସି ବ୍ୟବସାୟ ନଥିଲା, ବରଂ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଶୋଷିତଙ୍କ ସ୍ୱରକୁ ସାମ୍ନାକୁ ଆଣିବାର ଏକ ନିଷ୍ଠାପର ମାଧ୍ୟମ ଥିଲା।ସେହିପରି ଗାନ୍ଧୀଜୀଙ୍କ ବୁଣାକାର ରୂପ ଓ ସ୍ୱଦେଶୀ ଆନ୍ଦୋଳନ ସମ୍ପର୍କରେ ବକ୍ତବ୍ୟ ରଖି ସେ କହିଥିଲେ ଯେ ଅରଟ ଓ ଖଦି ମାଧ୍ୟମରେ ଗାନ୍ଧୀଜୀ ଶ୍ରମର ସମ୍ମାନ ପ୍ରତିଷ୍ଠା କରିଥିଲେ। ସୂତା କାଟିବା ଓ ବୁଣିବା କେବଳ ଆତ୍ମନିର୍ଭରଶୀଳତାର ପ୍ରତୀକ ନଥିଲା, ଏହା ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିବା ସହ ସାମାଜିକ ଭେଦଭାବ ଦୂର କରିବାର ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଥିଲା।ଶେଷରେ ମୁଖ୍ୟ ବକ୍ତା ଆଜିର ଯୁବପିଢ଼ିକୁ ଗାନ୍ଧୀଜୀଙ୍କ ଆଦର୍ଶ, ଅହିଂସା, ସତ୍ୟ ଓ ଶ୍ରମପ୍ରତି ସମ୍ମାନ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ସାଧାରଣ ଜନସାଧାରଣ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ଜୀବନାଦର୍ଶ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ଏସଏସଏ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସମାରୋହ ରେ ଅତିଥିବୃନ୍ଦ ଗାନ୍ଧୀଜି ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ପରେ ଶିଶୁମନ୍ଦିର ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ରଘୁପତି ରାଘବ ଓ ବୈଷ୍ଣବ ଜନତୋ ଗାନ ପରିବେଷଣ କରଯାଇଥିଲା।ପରେ ସର୍ବଧର୍ମ ପ୍ରାର୍ଥନା ର ଆୟୋଜନ କରଯାଇଥିଲା। ସର୍ବଧର୍ମ ପ୍ରାର୍ଥନା ରେ ପଣ୍ଡିତ
ବ୍ୟାସଦେବ ପଣ୍ଡା , ଫାଦର ସୁବୋଧ କିଣ୍ଡୋ, ମୌଲାନା କାରି ମିରାଜ ଅହମଦ ଏବଂ ଗୁରୁ ସୁରଜିତ ସିଂ ବର୍ନାଲା ଯୋଗ ଦେଇଥିଲେ।
ଶେଷରେ ଆସିଥିବା ସମ୍ମାନିତ ଧର୍ମଗୁରୁ ମାନଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଜୟନ୍ତୀ ଉତ୍ସବରେ ସହକାରୀ ଜିଲ୍ଲାପାଳ ଶ୍ରୀ ନାୟକ, ଅନ୍ୟ ବରିଷ୍ଠ ଅଧିକାରୀ ଛାତ୍ରଛାତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ପ୍ରାତଃ ରୁ ସହରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ପରିବେଷଣ କରଯାଇଥିଲା। ଏହା ପରେ ସମ୍ବଲପୁର ର ଜିଲ୍ଲାପାଳ ଙ୍କ ସମେତ ପ୍ରମୁଖ ପ୍ରଶାସନିକ ଅଧିକାରୀ ସହିଦ ସ୍ତମ୍ବ, ଭତରା ସ୍ଥିତ ଗାନ୍ଧୀମନ୍ଦିର, ଏବଂ କମିଶନର କୋଲୋନି ଫିଲ୍ଡ ସ୍ଥିତ ଜାତିର ପିତା ଗାନ୍ଧୀଜୀ ଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିଥିଲେ।କାର୍ଯ୍ୟକ୍ରମ କୁ ସୁଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସୁଶ୍ରୀ ସଞ୍ଜୁକ୍ତା କୁଲ୍ଲୁ ପରିଚାଳନା କରିଥିଲେ।।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ