
ଏସସିବିରେ ରୋଗୀଙ୍କୁ ପିଟି ପିଟି ମାରିଦେବା ଘଟଣା , ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କଲା ବିଜେଡି
Bhubaneswar, 01 ଅକ୍ଟୋବର (ହି.ସ.) ଏସସିବିରେ ରୋଗୀଙ୍କୁ ପିଟି ପିଟି ମାରିଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଜେପି ସରକାରଙ୍କ ଅପାରଗତା ପାଇଁ ଆଜି ଏସ୍ସିବି ସେବା ବଦଳରେ ନିର୍ଯାତନା ହବ୍ ପାଲଟିଛି । ଏହାକୁ ନେଇ ସରକାରଙ୍କୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ଏସସିବିରେ ରୋଗୀଙ୍କୁ ପିଟି ପିଟି ମାରିଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏସସିବି ହେଉଛି ରାଜ୍ୟର ଏକ ପ୍ରମୁଖ ଚିକିତ୍ସା ଅନୁଷ୍ଠାନ, ଯେଉଁଠି ରାଜ୍ୟ ଓ ରାଜ୍ୟ ବାହାରୁ ଲୋକେମାନେ ଚିକିତ୍ସା ପାଇଁ ଆସିଥାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଶ୍ୱସ୍ତରୀୟ ଏମ୍ସ ପ୍ଲସ ହସ୍ପିଟାଲ କରିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ବିଜେପି ସରକାରଙ୍କ ଅପାରଗତା ପାଇଁ ସାରା ଦେଶରେ ଏସ୍ସିବି ନିନ୍ଦିତ ହେଉଛି । ଏସସିବିରେ ଲୋକେ ସେବା ବଦଳରେ ନିର୍ଯାତନା ପାଉଛନ୍ତି । ମାନସିକ ଚିକିତ୍ସା ପାଇଁ ଆସିଥିବା ରୋଗୀକୁ ସୁରକ୍ଷାକର୍ମୀ ମାନେ ଶୌଚାଳୟରେ ବନ୍ଦ କରି ପିଟିପିଟି ମାରିଦେଲେ । କିନ୍ତୁ ହସ୍ପିଟାଲ କର୍ତ୍ତ୍ୟପକ୍ଷ ଘଟଣା ବାବଦରେ ଜାଣିପାରିଲେ ନାହିଁ । ଗତ ମାର୍ଚ୍ଚ ମାସରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ଟି ଅମୂଲ୍ୟ ଜୀବନ ଚାଲିଗଲା, କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା । । ଏହି ଘଟଣା ବାବଦରେ ସ୍ୱାସ୍ଥ୍ୟମନ୍ତ୍ରୀ ଚୁପ୍ ନ ରହି ସ୍ପଷ୍ଟୀକରଣ ଦିଅନ୍ତୁ । ଏସସିବିର ଉନ୍ନତିକରଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫,୦୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ ସୁଦ୍ଧା ବିଜେପି ସରକାର ତାକୁ ଖର୍ଚ୍ଚ କରିପାରି ନାହିଁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ।
ଏସଆଇଆର ସମ୍ପର୍କରେ ଶ୍ରୀ ବିଜୟ ନାୟକ କହିଥିଲେ ଯେ, ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ବର୍ତ୍ତମାନ ବିବାଦ ଘେରରେ ଥିବାବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱେଚ୍ଛାକୃତ ଅବସର ଘଟଣା ସନେ୍ଦହ ଘେରରେ ରହିଛି । କେନ୍ଦ୍ରାପଡ଼ା ସମେତ ଧାମନଗର ଆଦି ସ୍ଥାନରେ ଏସଆଇଆର ପ୍ରକି୍ରୟାରେ ଅନିୟମିତତା ଥିବା ନେଇ ଅଭିଯୋଗ ପରେ ମଧ୍ୟ ପଦକ୍ଷେପ ଶୂନ । ଏତେ ପରେ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ସନେ୍ଦହ ସୃଷ୍ଟି କରିଛି । ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ବେଳେ ଅନେକ ଅଯୋଗ୍ୟ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି । ତେବେ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା