
- ସରକାରୀ ଜମିକୁ ବଜାର ଦରଠୁ କମ୍ ମୂଲ୍ୟରେ କମ୍ପାନୀଗୁଡିକୁ ଦେଇଥିଲା ବିଜେଡି
ଭୁବନେଶ୍ୱର, ୦୧ ଅକ୍ଟୋବର(ହି.ସ) - ସିଏଜି ରିପୋର୍ଟକୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ନେତା ଅମର ପଟ୍ଟନାୟକ। ଗୁରୁବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସିଏଜି ରିପୋର୍ଟରେ ତତ୍କାଳୀନ ବିଜେଡି ସରକାର ଅମଳରେ ସରକାରୀ ଜମି ଆବଂଟନ ଓ ଡିଏମଏଫ୍ ପାଣ୍ଠି ବ୍ୟବହାରରେ ବ୍ୟାପକ ଅନିୟମିତତାର ଚିତ୍ର ସାମ୍ନାକୁ ଆସିଛି।
ସେ କହିଛନ୍ତି ଯେ ବଜାର ଦରଠାରୁ କମ୍ ମୂଲ୍ୟରେ ସରକାରୀ ଜମି ଆବଂଟନ, ନିର୍ଦ୍ଧାରିତ ନିଲାମ ପ୍ରକ୍ରିୟା ଓ ମାର୍ଗଦର୍ଶିକାକୁ ଅଣଦେଖା କରାଯିବା ଯୋଗୁଁ ରାଜସ୍ୱ କ୍ଷତି ହୋଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ୮ଟି ଜିଲ୍ଲାରେ ପ୍ରାୟ ୫୦,୨୩୧ ଏକର ଜମି ଆବଂଟନ ହୋଇଥିବା ଏବଂ ଅଧିଗ୍ରହଣ ହୋଇଥିବା ହଜାର ହଜାର ଏକର ଜମି ବ୍ୟବହାର ନହୋଇ ପଡ଼ିଥିବା ସେ ଦାବି କରିଛନ୍ତି।
ସେହିପରି, ଡିଏମଏଫ୍ ପାଣ୍ଠି ବ୍ୟବହାରରେ ମଧ୍ୟ ଅନିୟମିତତା ହୋଇଥିବା ଅମର ପଟ୍ଟନାୟକ ଅଭିଯୋଗ କରିଛନ୍ତି। ତାଙ୍କ ଅନୁସାରେ, ୮ଟି ଜିଲ୍ଲାର ୯୭୬ଟି ଅଣଖଣି ଗ୍ରାମରେ ୯୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୫୮୪ଟି ଖଣି ପ୍ରଭାବିତ ଗ୍ରାମରେ କୌଣସି ଅର୍ଥ ଖର୍ଚ୍ଚ ହୋଇନାହିଁ।
ନିୟମ ବାହାରେ କିମ୍ବା କମ୍ ମୂଲ୍ୟରେ ଆବଂଟିତ ଜମିର ପୁନଃସମୀକ୍ଷା କରି ସରକାରୀ ଅଧୀନକୁ ଆଣିବା ପ୍ରକ୍ରିୟା ବର୍ତମାନର ବିଜେପି ସରକାର ଆରମ୍ଭ କରିଥିବା ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜେନ୍ଦ୍ର ପଣ୍ଡା ଓ ଗୌତମ ରାୟ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା