
ଭୁବନେଶ୍ୱର , 01 ଅକ୍ଟୋବର (ହି.ସ.) ସ୍ୱଚ୍ଛତା ହିଁ ସେବା ଅଧିନରେ ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ସଫେଇ ମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସହିଦ ନଗର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ମୁଖ୍ୟ ଅତିଥି ଭାବେମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ସହ ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଂଚି ନାରାୟଣ ମହାସୂପକାର, ସ୍ଥାନୀୟ କର୍ପୋରେଟର ତଥା ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାଜକିଶୋର ଦାସ, ଡେପୁଟି କମିଶନର ଶ୍ରୀମତୀ ରଶ୍ମୀରେଖା ପ୍ରଧାନ, ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ, ହାଇଟେକ୍ ମେଡିକାଲ କଲେଜର ଉପସଭାପତ ମନୋଜ କୁମାର ଦାଶ ପ୍ରମୁଖ ମଂଚାସୀନ ଥିଲେ । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଓ ସମ୍ବର୍ଦ୍ଧନା ଶିବିରରେ ପ୍ରାୟ 2 ଶହରୁ ଅଧିକ ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ଡ୍ରାଇଭର, ହେଲଫର, ଏସ୍ ଆଇ ପ୍ରମୁଖ ଉପସ୍ଥିତ ଥିଲେ । ପରିମଳ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ୱଚ୍ଛ କର୍ମୀଙ୍କୁ ମେୟର ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଭୁବନେଶ୍ୱରକୁ ଦେଶର ଏକ ସ୍ୱତନ୍ତ୍ର ସ୍ଥାନକୁ ନେବାରେ ସ୍ୱଚ୍ଛ କର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହିମାନଙ୍କ ପାଇଁ ଭୁବନେଶ୍ୱର ଦେଶର 9 ନମ୍ବର ସ୍ଥାନରେ ରହିଛି ଏବଂ ଆଗାମୀ ଦିନରେ ଏହା ଆହୁରି ଉପରକୁ ନେବାକୁ ହେଲେ ସମସ୍ତ ଆହୁରି କଠୋର ପରିଶ୍ରମ କରିବାକୁ ଆହ୍ୱାନ ଦେଇଛନ୍ତି ମେୟର ଶ୍ରୀମତୀ ଦାସ। ଏହି କାର୍ଯ୍ୟକ୍ରମ ତିନୋଟି ଜୋନରେ ଅନୁଷ୍ଠିତ ହୋଇଥିଲା । ଏହି ସବୁସ୍ଥାନରେ ପ୍ରାୟ 500 ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ଡ୍ରାଇଭର, ହେଲଫର ଆଦି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।
ହାଇଟେକ ମେଡିକାଲ କଲେଜ ପକ୍ଷରୁ ରକ୍ତ ନମୂନା ପରୀକ୍ଷା ସହ ବିଭିନ୍ନ ବିଭାଗ ଯଥା ନାସା, କର୍ଣ୍ଣ, ଗଳା, ଚକ୍ଷୁ, ଦନ୍ତ, ଚର୍ମ, ଅର୍ଥପେଡିକ୍, ଗାଇନିଂ ଆଦି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ କର୍ମୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଓ୍ୱାର୍ଡର କର୍ପୋରେଟରଙ୍କ ସହ ବିଏମ୍ ସିର ଉପାୟୁକ୍ତ ଶ୍ରୀମତୀ ରଶ୍ମୀରେଖା ଅମାନ୍ତ, ସୁଶ୍ରୀ ରୁବି ବେହେରା, ଶ୍ରୀମତୀ ପ୍ରିୟଙ୍କା ମଲ୍ଲିକ, ସୁମନ କିଶୋର ଡୁଙ୍ଗଡୁଙ୍ଗ, ଶ୍ରୀମତୀ ପ୍ରିୟଦର୍ଶନୀ ଜେନା ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି ସବୁ ଶିବିର ପରିଚାଳିତ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା