
ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖାର ୩୧ତମ ସ୍ୱନକ୍ଷତ୍ର ଦିବସ ପାଳିତ
କେନ୍ଦ୍ରାପଡ଼ା, ୦୧ ଅକ୍ଟୋବର (ହି.ସ.): କବିବର ରାଧାନାଥ ରାୟ ଥିଲେ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଣେତା ଓ ଓଡ଼ିଆ ଭାଷା ଆନ୍ଦୋଳନର ଅଗ୍ରଧାବକ। ମଧୁସୂଦନ, କବିବର, ଫକିରମୋହନ ଓ ଗଉରୀ ଶଙ୍କରଙ୍କ ଓଡ଼ିଆ ଭାଷା ପ୍ରୀତି ଏବଂ ସାହିତ୍ୟ ସାଧନା ବ୍ୟତିରକେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇ ନଥାନ୍ତା ବୋଲି ଉତ୍କଳ ସମ୍ମିଳନୀ କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ୩୧ତମ ସ୍ୱନକ୍ଷତ୍ର ସମାରୋହ ଅବସରରେ କବିବର ରାଧାନାଥ ରାୟଙ୍କ ୧୭୯ ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସମ୍ମିଳନୀର ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପରିଚାଳନାରେ ଏହି ଉପଲକ୍ଷେ ସହର ସ୍ଥିତ ଫ୍ରେଜର ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଖ୍ରୀଷ୍ଟ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସୁରେନ୍ଦ୍ରନାଥ ଆଚାର୍ୟ୍ୟ ମୁଖ୍ୟ ଅତିଥି ଓ ମଦନପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମୋହନ ଚରଣ ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏପରି କହିଛନ୍ତି। ସଂଗଠନର ସମ୍ପାଦକ ଡ଼ ବାସୁଦେବ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଦିକନ୍ଦ ରାଉଳ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ଓ କବୀ ନିରୁପମା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସବ୍ୟସାଚୀ ବେହେରା, ରବୀନ୍ଦ୍ର ପ୍ରସାଦ ଜେନା, ଡ଼ ଚୈତନ୍ୟ ଚରଣ ପରିଡା, ମହେନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ତ୍ରିପାଠୀ, ନୃସିଂହ ଚରଣ ତ୍ରିପାଠୀ, ଶରତ କୁମାର ରାଉତ, ଶୈଳବାଳା ସାମଲ, ସରୋଜକାନ୍ତ ନାୟକ, ବିକ୍ରମ କେଶରୀ ସାମଲ, ତପନ କୁମାର ଦାଶ, ଶ୍ରୀଧର ମହାନ୍ତି, ସୋହାନା ବେଗମ୍ ଆଦି କବିବର ଙ୍କ ଅମ୍ଳାନ କୃତୀ ସମ୍ପର୍କରେ ଆଲୋଚନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି