
କେନ୍ଦ୍ରାପଡ଼ା, ୦୧ ଅକ୍ଟୋବର (ହି.ସ.): ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୬ ଶ୍ରୀ ବଳଦେବଜୀଉ କଲ୍ୟାଣ ମଣ୍ଡପ, ସାନ୍ତସାହି ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ୟ୍ୟକ୍ରମକୁ ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆୟର ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୂଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ, ପ୍ରବଚକ, ହୃଷୀକେଶ ରଥ, ବିଶିଷ୍ଠ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଗୌରାଙ୍ଗ ଚରଣ ଗିରି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବ କ୍ରୀଷ୍ଣା ଜେନା ଯୋଗ ଦେଇଥିଲେ । ଅତିଥିମାନଙ୍କ ଅଭିଭାଷଣରେ ବରିଷ୍ଠ ନାଗରିକମାନେ ହେଉଛନ୍ତି ସମାଜର ସର୍ବଶ୍ରେଷ୍ଠ ସମ୍ବଳ ଅଟନ୍ତି । ସେମାନଙ୍କ ପରାମର୍ଶ, ଦିଗଦର୍ଶନ ଆମ୍ଭମାନଙ୍କୁ ଆଗକୁ ବଢିବାକୁ ସହାୟକ ହେବ । ବରିଷ୍ଠ ନାଗରିକମାନଙ୍କ ଧନ ଜୀବନ, ସମ୍ମାନ ରକ୍ଷା କରିବା ପାଇଁ ସରକାର କଠୋର ନିୟମ କରିଛନ୍ତି । ସେମାନଙ୍କୁ ସମ୍ମାନର ସହ ଜୀବନଜାପାନ କରିବା ପାଇଁ ସରକାର ଅନେକ ଯୋଜନା କରିବା ସହ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ହୋଇଛି । ଆମେ ସେମାନଙ୍କୁ ସମସ୍ତ ସହାୟତା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଇତ୍ୟାବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥ, ସଦସ୍ୟ ବଳଦେବଜୀଉ, ଦେବୋତର ବିଭାଗଙ୍କୁ ଉପଢୋକନ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ମୁଖ୍ୟ ଅତିଥି ସମ୍ବୋଦ୍ଧିତ କରିଥିଲେ । ବରିଷ୍ଠ ନାଗରିକମାନଙ୍କ ପ୍ରତି ଥିବା କର୍ତବ୍ୟ ବିଷୟରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଜିଲ୍ଲାରେ ଥିବା ୧୦ ଗୋଟି ବରିଷ୍ଠ ନାଗରିକ ସଂଘକୁ ଉପଢୋକନ, ମାନପତ୍ର ଓ ଚାରା ବୃକ୍ଷ ପ୍ରଦାନ କରାଯାଇ ସମ୍ବୋଦ୍ଧିତ କରାଯାଇଥିଲା । ସେମାନେ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ସ୍ୱାଗତ ଭାଷଣ ପ୍ରଦାନକରିବା ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବେଉରା ତାଙ୍କ ଅଭିଭାଷଣରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ସମସ୍ତ ସରକାରୀ ସୁବିଧାସୁଯୋଗ ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ପ୍ରାତଃ ୬.୩୦ ଘଟିକା ସମୟରେ ଜିଲ୍ଲା କ୍ରିଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ନେତୃତ୍ୱରେ ଇଣ୍ଡୋର ଷ୍ଟାଡିୟମ, କେନ୍ଦ୍ରାପଡ଼ା ପରିସରରେ ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ଯୋଗାସନ ଓ ମା’ ଙ୍କ ନାମରେ ଗଛ ଟିଏ କାର୍ୟ୍ୟକ୍ରମ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବ କ୍ରୀଷ୍ଣା ଜେନା, ଜିଲ୍ଲା ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, କେନ୍ଦ୍ରାପଡ଼ା ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରିଣୀ ସୁଦିପ୍ତ। ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଚିକିତ୍ସା କରାଯାଇ ଔଷଧ ବଂଟନ କରାଯାଇଥିଲା । ଭାବଗ୍ରାହୀ କଳାନିକେତନ ବାରୁଅର ବିମଲ ପ୍ରସାଦ ପରିଡାଙ୍କ ନେତୃତ୍ୱରେ କଳାକାରମାନେ ମନମୁଗ୍ଧକର ନୃତ୍ୟ ଗୀତ ପରିବେଷଣ କରିଥିଲେ । ମଂଚ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଓ ନିମାଇଁ ଚରଣ ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ସହାୟତା କରିଥିଲେ । ଉକ୍ତ କାର୍ୟ୍ୟକ୍ରମଟିକୁ ଜିଲ୍ଲା ସାମାଜିକ ସୁରକ୍ଷା କାର୍ୟ୍ୟ।ଳୟ, ସ୍ୱତନ୍ତ୍ର ବିଦ୍ୟାଳୟ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସର କର୍ମଚାରୀମାନେ ସହଯୋଗ କରିଥିଲେ ।ସର୍ବଶେଷରେ ସଦର ମହକୁମା ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରାଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି