
ସମ୍ବଲପୁର, ୦୧, ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢିପା ପଞ୍ଚାୟତ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିନା ଡ଼ାକ୍ତରରେ ଚାଲିଛି ରୋଗୀ ସେବା । ପୂର୍ବରୁ କେନାଢିପା ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଆୟୁଷ ଡାକ୍ତରଙ୍କୁ ଫାଶିମାଲ୍ ବଦଳି ହେବା ପରେ ଡାକ୍ତର ବାସନ୍ତୀ ତାଣ୍ଡିଆ କେନାଢିପା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବାକୁ ଭଲ ଭାବରେ ତ୍ବରାନ୍ବିତ କରି ଆସୁଥିଲେ । ମାତ୍ର ଡାକ୍ତର ବାସନ୍ତୀ ଟାଣ୍ଡିଆଙ୍କ ପଦୋନ୍ନତି ହୋଇ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି ହେବାର ଇତି ମଧ୍ୟରେ ଏକ ମାସ ବିତି ଯାଇଥିଲେ ମଧ୍ୟ ତାଙ୍କ ଭଳି କୌଣସି ଦକ୍ଷତା ସମ୍ପର୍ଣ୍ଣ ଡାକ୍ତରଙ୍କୁ କେନାଢିପା ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାପିତ କରା ଯାଇନାହିଁ । ଯାହା ଫଳରେ ରୋଗୀସେବା ଏକ ରକମର ବିପର୍ଯ୍ୟସ୍ତ ହୋଇପଡିଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଅନ୍ୟ ସମସ୍ତ ବିଭାଗୀୟ କର୍ମଚାରୀ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ମଧ୍ୟ ରୋଗୀ ସେବା ପାଇଁ ଉଦ୍ଧିଷ୍ଟ ଡାକ୍ତରଙ୍କ ଚେୟାର ଦୀର୍ଘ ଏକ ମାସ ଧରି ଖାଲି ପଡ଼ିଛି । କେନାଢିପା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଭରଷା କରି ଦୈନିକ ଶତାଧିକ ରୋଗୀଙ୍କ ସମେତ ମହଦା ପଞ୍ଚାୟତର ସମସ୍ତ ବୃଦ୍ଧବୃଦ୍ଧା ଓ ଆଖପାଖର ରୋଗୀ ନିର୍ଭର କରିଥାନ୍ତି । ଏବେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ମରୁଡ଼ି ଜନିତ ସମସ୍ୟାର ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ