
କେନ୍ଦୁଝର, ୦୧ ଅକ୍ଟୋବର (ହି.ସ.) - ହୋ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ସହ ଓଡ଼ିଶାର ଦ୍ୱିତୀୟ ରାଜଭାଷା ଭାବେ ମାନ୍ୟତା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ହୋ ଭାଷାଭାଷୀ ଅଂଚଳରେ ସରକାରୀସ୍ତରରେ ହୋ ଭାଷାର ବ୍ୟବହାର, ଶିକ୍ଷା କ୍ଷେତ୍ରରେ ଏହାର ପ୍ରସାର ଏବଂ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଆବଶ୍ୟକ ସରକାରୀ ପଦକ୍ଷେପ ନେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।
ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ହେଉଛି-ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରାଯାଉ, ଓଡ଼ିଶାରେ ଏହାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦିଆଯାଉ ଏବଂ ହୋ ଭାଷାରେ ଶିକ୍ଷାଦାନ, ପ୍ରଶାସନିକ ବ୍ୟବହାର ଓ ସରକାରୀ କାର୍ଯ୍ୟରେ ଏହାର ପ୍ରୟୋଗ ପାଇଁ ସୁଯୋଗ ସୃଷ୍ଟି କରାଯାଉ।
ଏହି ଦାବିଗୁଡ଼ିକୁ ନେଇ ବିକ୍ଷୋଭକାରୀମାନେ ସ୍ଥାନୀୟ କାଳୀ ପଡ଼ିଆ ରୁ ଏକ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ସ୍ଲୋଗାନ ଦେଇଥିଲେ। ହୋ ଭାଷାର ସ୍ୱୀକୃତି କେବଳ ଭାଷାର ସୁରକ୍ଷା ନୁହେଁ, ଏହା ସହ ଜଡ଼ିତ ଆଦିବାସୀ ସମାଜର ଭାଷା, ସାହିତ୍ୟ, ପରମ୍ପରା ଓ ସାଂସ୍କୃତିକ ପରିଚୟର ସୁରକ୍ଷା ପାଇଁ ମଧ୍ୟ ଆବଶ୍ୟକ ବୋଲି ସେମାନେ ମତ ରଖିଥିଲେ।
ପରେ ଆନ୍ଦୋଳନକାରୀମାନେ ଉକ୍ତ ଦାବିଗୁଡ଼ିକ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ହୋ ଭାଷାକୁ ଉପଯୁକ୍ତ ସାମ୍ବିଧାନିକ ଓ ପ୍ରଶାସନିକ ମାନ୍ୟତା ଦେବା ଦିଗରେ ସରକାର ଶୀଘ୍ର ପଦକ୍ଷେପ ନେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA