
କେନ୍ଦୁଝର, ୦୧ ଅକ୍ଟୋବର (ହି.ସ.) - ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ, ସମ୍ମାନ, କଲ୍ୟାଣ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି କେନ୍ଦୁଝର ଅଡିଟୋରିୟମଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।
ଏକ ଯୋଗ ଅଧିବେଶନରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପରବର୍ତୀ କାଳରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିବିର, ସେମାନଙ୍କ ଅଧିକାର, କଲ୍ୟାଣ ଏବଂ ସ୍ୱାସ୍ଥ୍ୟରକ୍ଷା ଉପରେ ଆଲୋକପାତ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତତପରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାରେ ଯୋଗଦେଇଥିବା ମାନ୍ୟଗଣ୍ୟ ଅତିଥିମାନେ ନିଜ ଅଭିଭାଷଣରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସୁରକ୍ଷିତ, ସୁସ୍ଥ ଏବଂ ସମ୍ମାନଜନକ ଜୀବନ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଉତ୍ସବର ଅଂଶବିଶେଷ ସ୍ୱରୂପ, ବୟସ୍କମାନଙ୍କ ପ୍ରତି ସଚେତନତା ଏବଂ ସମ୍ବେଦନଶୀଳତା ବୃଦ୍ଧି କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
ବର୍ତମାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଏବଂ ଅଧିକ ଯତ୍ନଶୀଳ ସମାଜ ଗଠନ ଦିଗରେ ସାମୂହିକ ଦାୟିତ୍ୱର ପ୍ରତୀକ ସ୍ୱରୂପ ବନାଯୋଡି ବୃଦ୍ଧାଶ୍ରମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।
ଏହି ଦିବସ ପାଳନ ଅବସରରେ ପ୍ରାୟ ୧୬୪ ଜଣ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋସ୍ନାମୟୀ ପ୍ରଧାନ, ଡାକ୍ତର ପୁରୁଷୋତମ ମହାନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭୁବନେଶ୍ୱରୀ ମହାନ୍ତଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ ସହ ଆଲୋଚନା କରିଥିଲେ।
ବୟସ୍କ ବ୍ୟକ୍ତିମାନଙ୍କର କଲ୍ୟାଣ, ସମ୍ମାନ, ସ୍ୱାସ୍ଥ୍ୟ ଏବଂ ସମାଜରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବା ପାଇଁ ଏକ ନୂତନ ସଂକଳ୍ପ ସହିତ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA