ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ
Intl-senior-citizen-day-JHS
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ


ଝାରସୁଗୁଡ଼ା, ୧ ଅକ୍ଟୋବର (ହି.ସ.)- ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଦୁଇ ଦିନ ଧରି ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସ ବ୍ୟାପକ ଭାବେ ପାଳିତ ହୋଇଯାଇଛି। ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିଶାଳ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏହି ରାଲିକୁ ଝାରସୁଗୁଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାଏକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଡିଏମଏଫ୍ ଅଡିଟୋରିୟମ ହଲ୍ ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ସୋମେଶ ଆଚାର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ‘ମିରର ଥିଏଟର’ ଦଳ ଦ୍ୱାରା ବୟସ୍କମାନଙ୍କ ସୁରକ୍ଷା ଓ ଅଧିକାର ଉପରେ ଆଧାରିତ ଏକ ହୃଦୟସ୍ପର୍ଶୀ ନାଟକ ମଞ୍ଚସ୍ଥ ହୋଇଥିଲା। କାର୍ଯ୍ୟକ୍ରମର ଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରାଯାଇଥିଲା। ବରିଷ୍ଠ ନାଗରିକମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ସମସ୍ତେ ସହଯୋଗ କରିବାକୁ ଏହି ସଭାରେ ଆହ୍ୱାନ ଦିଆଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ଅଧୀନରେ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା। ଏହି ସ୍ୱତନ୍ତ୍ର ଅବସରରେ ବରିଷ୍ଠ ନାଗରିକ ସଂଘର ସଦସ୍ୟମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ଏହା ସହିତ ପିଢ଼ିଗତ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ଏବଂ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଆଲୋଚନା ଓ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ ନେଇ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ, ଝାରସୁଗୁଡ଼ା ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଆଜିର ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ଆଦିତ୍ୟ ବାଦି, ଜିଲ୍ଲା ସଞ୍ଚୟ ବିଭାଗର ଜଗନ୍ନାଥ ରାଉତ ଏବଂ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନେ ସହାୟକ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande