ବିଜୁଳି କାଟ୍, ଜିଓ ସେବା ବିପର୍ଯ୍ୟସ୍ତ; ଉପଭୋକ୍ତା ଅସନ୍ତୁଷ୍ଟ
Jio network problem Laikera
ବିଜୁଳି କାଟ୍, ଜିଓ ସେବା ବିପର୍ଯ୍ୟସ୍ତ; ଉପଭୋକ୍ତା ଅସନ୍ତୁଷ୍ଟ


ଝାରସୁଗୁଡ଼ା, ୧ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଅଞ୍ଚଳରେ ଜିଓ ମୋବାଇଲ୍ ନେଟୱାର୍କ ସେବାକୁ ନେଇ ଉପଭୋକ୍ତାମାନେ ଦୀର୍ଘଦିନ ଧରି ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି। ବିଶେଷକରି ବିଦ୍ୟୁତ୍ ସରବରାହ ବନ୍ଦ ହେବା ମାତ୍ରେ ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ସେବା ଗୁରୁତର ଭାବେ ପ୍ରଭାବିତ ହେଉଥିବା ନେଇ ସ୍ଥାନୀୟ ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ କାଟ୍ ସମୟରେ ୫ଜି ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଥିବା ବେଳେ ୪ଜି ନେଟୱାର୍କ ମଧ୍ୟ ଅତ୍ୟନ୍ତ ଧୀର ଗତିରେ ଚାଲୁଥିବା ଅଭିଯୋଗ ରହିଛି। ଫଳରେ ସାଧାରଣ ଫୋନ୍ କଲ୍ ଠାରୁ ଆରମ୍ଭ କରି ମୋବାଇଲ୍ ଇଣ୍ଟରନେଟ୍ ବ୍ୟବହାର ପର୍ଯ୍ୟନ୍ତ ଉପଭୋକ୍ତାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନେଟୱାର୍କ ସେବା ବାଧାପ୍ରାପ୍ତ ହେବା ଯୋଗୁଁ ଜରୁରୀ ସମୟରେ ପରିବାର, ଡାକ୍ତରଖାନା ଓ ଅନ୍ୟାନ୍ୟ ଜରୁରୀ ସେବା ସହ ଯୋଗାଯୋଗ କରିବାରେ ମଧ୍ୟ ଅସୁବିଧା ହେଉଛି। ଏହାସହ ଅନଲାଇନ୍ ପାଠପଢ଼ା କରୁଥିବା ଛାତ୍ରଛାତ୍ରୀ, ଅନଲାଇନ୍ କାରବାର ଉପରେ ନିର୍ଭରଶୀଳ ବ୍ୟବସାୟୀ ଏବଂ ବିଭିନ୍ନ ଡିଜିଟାଲ୍ ସେବା ବ୍ୟବହାର କରୁଥିବା କର୍ମଚାରୀମାନେ ଅଧିକ ପ୍ରଭାବିତ ହେଉଛନ୍ତି। ବିଦ୍ୟୁତ୍ ବନ୍ଦ ସମୟରେ ଟାୱାରଗୁଡ଼ିକରେ ଥିବା ବ୍ୟାକ୍ଅପ୍ ବ୍ୟବସ୍ଥା ଠିକ୍ ଭାବେ କାମ କରୁନଥିବାରୁ ନେଟୱାର୍କ ସେବା ବାଧାପ୍ରାପ୍ତ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଏହାର ପ୍ରକୃତ କାରଣ ସମ୍ପର୍କରେ ଜିଓ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ସମସ୍ୟାର ତୁରନ୍ତ ସମାଧାନ କରି ଲଇକେରା ଅଞ୍ଚଳରେ ନିରବଚ୍ଛିନ୍ନ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ଉପଭୋକ୍ତାମାନେ ଜିଓ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

ଏ ସମ୍ପର୍କରେ ଜିଓ ନେଟୱାର୍କ କମ୍ପାନୀର ପ୍ରତିନିଧି ସଞ୍ଜୟ ଦାଶଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande