
ବଲାଙ୍ଗିର, ୧ ଅକ୍ଟୋବର (ହି.ସ.)- ବଲାଙ୍ଗିର ଜିଲ୍ଲା ଲୋଇସିଂହା ଓ ବୁର୍ଡା ପଞ୍ଚାୟତ ସମେତ ହିରାପୁର ଗ୍ରାମ ପଞ୍ଚାୟତର କେତେକ ଗ୍ରାମକୁ ମିଶାଇ ଲୋଇସିଂହା ବିଜ୍ଞାପିତ ଅଞ୍ଚଳ ପରିଷଦ ଚଳିତ ସରକାର ଦ୍ବାରା ଘୋଷଣା କରାଯାଇଥିଲେ ହେଁ ପ୍ରକୃତରେ ଏହାର କାର୍ଯ୍ୟକାରିତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାୟ ଗତ ମାର୍ଚ୍ଚ ମାସରୁ ଉକ୍ତ ଏନଏସି କାର୍ଯ୍ୟକାରୀ ହେଉଥିବା ଏବଂ ସ୍ଥାନୀୟ ବିଡିଓ ଅକ୍ଷୟପାଣି ଉହୁ ଏହାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ବ ତୁଲାଉଥିଲେ ହେଁ ତାଙ୍କ କାର୍ଯ୍ୟକଳାପ ଚର୍ଚ୍ଚାର ବିଷୟ ହୋଇଛି, ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲା ପରି ଜାଲିଆତି କରି ଭୁବନେଶ୍ବରର ଜଣେ ଠିକାଦାରକୁ ଉକ୍ତ ଏନଏସିର ରାସ୍ତାଘାଟର ସଫେଇ ପାଇଁ ମାସିକ ପ୍ରାୟ ୧୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାରେ ଠିକା ପାଇଁ ଚୁକ୍ତି କରାଯାଇଥିବା ସୂଚନା ମିଳିଛି । ହେଲେ ୭ ମାସରୁ ଉର୍ଦ୍ଧ ହେଲା ସଫେଇ କାମ ହେଉ ନ ଥିବାରୁ ରାସ୍ତାଘାଟ ସବୁଆଡେ କୁଢ କୁଢ ଆବର୍ଜନା ପଡି ରହିଛି। ଗତ ମାର୍ଚ୍ଚ ମାସରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩/୪ ଦିନ କାମ ସଫେଇ କାମ ହୋଇଥିବା ବେଳେ ସଂପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିଲେ ଏଥିପାଇଁ ଟଙ୍କା ଆସୁନାହିଁ ଏବଂ ଠିକାଦାର ମଧ୍ୟ ଆସୁ ନଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ଉକ୍ତ ଏନଏସି କାର୍ଯ୍ୟାଳୟରେ ଜଣେ ଯୁବତୀଙ୍କୁ ନିଯୁକ୍ତି ନେଇ ଅଞ୍ଚଳରେ ଚର୍ଚ୍ଚା ଯୋର୍ ଧରିଛି । ଏଠାରେ ନିଯୁକ୍ତି ପାଇଁ କୌଣସି ସୂଚନା ଦିଆ ନଯାଇ କିମ୍ବା କୌଣସି ଇଣ୍ଟରଭ୍ୟୁ କରା ନଯାଇ ଜଣେ ବାହାର ଅଞ୍ଚଳର ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଅଞ୍ଚଳର ଶିକ୍ଷିତ ବେକାର ଯୁବକ/ଯୁବତୀଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସଂପୃକ୍ତ ଯୁବତୀଙ୍କୁ ଆଉଟ୍ ସୋର୍ସିଙ୍ଗରେ ନିଯୁକ୍ତି ମିଳିଥିବା ବିଡିଓ ଶ୍ରୀ ଉହୁ ସଫେଇ ଦେଉଥିଲେ ହେଁ ଏକାକୀ ରହୁଥିବା ସଂପୃକ୍ତ ଯୁବତୀଙ୍କୁ ବ୍ଳକ ପରିସରରେ ନିଜ କ୍ଵାଟର ପାଖରେ ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ କ୍ଵାଟର ଯୋଗାଇ ଦେଇଥିବାରୁ ତାଙ୍କ କାର୍ଯ୍ୟକଳାପ ନେଇ ସ୍ଥାନୀୟ ବ୍ଲକ କର୍ମଚାରୀ ମହଲ ତଥା ଚା ପାନ ଦୋକାନରେ ସମେତ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
ଏ ସଂପର୍କରେ କ୍ଵାଟର ଅଭାବରୁ ବ୍ଲକ କର୍ମଚାରୀ ମାନେ ଅଧିକ ଟଙ୍କା ଘର ଭଡା ଦେଇ ବାହାରେ ରହୁଥିବା ବେଳେ ବିଡିଓ ଶ୍ରୀ ଉହୁ ନିଜ ପ୍ରତିକ୍ରିୟାରେ ଏଠାରେ କ୍ଵାଟର ଖାଲି ଥିବାରୁ ତାଙ୍କୁ ଦିଆଯାଇଛି ବୋଲି ସଫେଇ ଦେଇଛନ୍ତି । ତେବେ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ବାଚନ ମଣ୍ଡଳୀର ସଦର ଏନଏସିରେ ପ୍ରାୟ ୮/୯ ମାସ ହେଲା କୌଣସି ଉନ୍ନତିମୂଳକ କାମ ନ ହେବା, ଏପରିକି ସଫେଇ କାମ ନ ହୋଇ କୁଢ କୁଢ ଆବର୍ଜନା ପଡି ରହିଥିବା ସହ ଟେଣ୍ଡର ଜାଲିଆତି ସହ ବେଆଇନ ନିଯୁକ୍ତି ପଛରେ ମନ୍ତ୍ରୀଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଉଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ