
ସମ୍ବଲପୁର, ୦୧, ଅକ୍ଟୋବର (ହି.ସ.) କଟଙ୍ଗପାଣି ଆଶ୍ରମ ବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
ହଷ୍ଟେଲରେ ପଶି ଅନ୍ତେବାସୀ ଛାତ୍ରଙ୍କୁ ନିସ୍ତୁକ ମାଡ଼, ଜୀବନ ବିକଳରେ ପାଚେରୀ ଡେଇଁ ଛାତ୍ର ଫେରାର
ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ହୀନତା ନେଇ ଅଭିଯୋଗ
ଘର ଠାରୁ ଦୂର ଦୁରାନ୍ତର
ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରଙ୍କ ସୁରକ୍ଷା ନେଇ ଏବେ ଉଠିଛି ବିରାଟ ପ୍ରଶ୍ନବାଚୀ । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କଟଙ୍ଗପାଣି ଆଶ୍ରମ ବିଦ୍ୟାଳୟର ଜନୈକ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ସେ ରହୁଥିବା ହଷ୍ଟେଲରେ ଅନ୍ୟ ଜଣେ ଛାତ୍ର ଆକ୍ରୋଶ ମୂଳକ ଭାବେ ବିଭିନ୍ନ ସମୟରେ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣା ଏବେ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ଏପରିକି ମାଡ଼ ଭୟରେ ଜୀବନ ବିକଳରେ ସମ୍ପୃକ୍ତ ଛାତ୍ର ଜଣଙ୍କ ହଷ୍ଟେଲର ପାଚେରୀ ଡେଇଁ ପଳାଇବା ଘଟଣା ଏବେ ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଲଟିଛି । ଅଭିଯୋଗ ଅନୁଯାୟୀ, ଜମନକିରା ବ୍ଲକ୍ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଚିନିମହୁଲ ଗ୍ରାମର ଜନୈକ ଅଷ୍ଟମ ଶ୍ରେଣୀର ଛାତ୍ର ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ସେହି ହଷ୍ଟେଲରେ ରହୁଥିବା ଅନ୍ୟଜଣେ ଛାତ୍ର ଦୀର୍ଘଦିନ ଧରି ହଇରାଣ ହରକତ କରିବା ସହ ମାଡ଼ ମାରିଥାନ୍ତି । ଏନେଇ ପିଡୀତ ଛାତ୍ର ଜଣଙ୍କ ପୂର୍ବରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଏକାଧିକଥର ଅଭିଯୋଗ କରିଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଏଥେରେ କୌଣସି କର୍ଣ୍ଣପାତ କରିନଥିଲେ । ଏପରିକି ଦୁଇ ଛାତ୍ରଙ୍କୁ ଡାକି ଏହାର ସମାଧାନ ମଧ୍ୟ କରାଇଥିଲେ । ବାରମ୍ବାର ଏହିଭଳି ଶାରୀରିକ ଓ ମାନସିକ ନିର୍ଯାତନା ଭୋଗିବା ସମ୍ପର୍କରେ ପିଡୀତ ଛାତ୍ରଙ୍କ ପରିବାର ଲୋକେ ଜାଣିବା ପରେ ଜମନକିରା ଡବ୍ଲୁଇଓ ଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି । ଗତ ରବିବାର ରାତିରେ ହଷ୍ଟେଲ ପରିସରରେ ଛାତ୍ରଙ୍କୁ ମାଡ଼ ମରାଯିବା ପରେ ସେ ଭୟଭୀତ ହୋଇ ପାଚେରୀ ଡେଇଁ ହଷ୍ଟେଲରୁ ପଳାଇ ଥିଲେ। ଏତେ ବଡ଼ ଘଟଣା ପରେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଙ୍କ ପରିବାରକୁ ସୂଚୀତ କରିବା ପାଇଁ ଗୁରୁତ୍ବ ମନେ ନକରିବା ଏକ ଖାମଖିଆଲି ମନୋଭାବକୁ ସୂଚୀତ କରାଇଛି । ହଷ୍ଟେଲ ଭିତରେ ଏହି ଘଟଣା ଘଟିବା ପରେ ଏବେ ଏହାକୁ ନେଇ ଘଟଣା ଭିନ୍ନ ମୋଡ ନେବାରେ ଲାଗିଛି । ହଷ୍ଟେଲର ପରିଚାଳନା ବିଧି ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ବିଦ୍ୟାଳୟ ସମୟ ସରିବା ପରେ ହଷ୍ଟେଲର ଦାୟିତ୍ୱ ଜଣେ ପିଅନଙ୍କ ହାତରେ ଛାଡ଼ି ପ୍ରଧାନ ଶିକ୍ଷକ ଜଣଙ୍କ ବିଦ୍ୟାଳୟ ପରିସର ଛାଡ଼ି ନିଜ ଘରକୁ ଚାଲି ଯାଉଥିବା ପୀଡ଼ିତ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହା ଯଦି ସତ ହୋଇଥାଏ, ତେବେ ରାତିରେ ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ସୁରକ୍ଷା ଓ ତଦାରଖ ବ୍ୟବସ୍ଥା କିଏ ଦେଖୁଛି ଏହାକୁ ନେଇ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇପଡିଛି । ଏହି ବିଦ୍ୟାଳୟରେ ପୂର୍ବରୁ ମଧ୍ୟ ଛାତ୍ରଙ୍କୁ ମାଡ଼ ମାରିବାକୁ ନେଇ ବିବାଦ ହୋଇଥିବା କେତେକ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଏକାଧିକ ଘଟଣାର ଅଭିଯୋଗ ସତ୍ତ୍ୱେ ହଷ୍ଟେଲରେ ଛାତ୍ର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆନଯିବା ସମ୍ପ୍ରତି ଶିକ୍ଷା ବିଭାଗର ପ୍ରଶାସନିକ ବିଧି ବ୍ୟବସ୍ଥାକୁ ଉଲଗ୍ନ କରାଇଛି । । ଏ ସମ୍ପର୍କରେ ଜମନକିରା ଡ଼ବ୍ଲଇଓ ଙ୍କୁ ପଚାରିବାରେ 'ମତେ ପିଡୀତ ଛାତ୍ରଙ୍କ ବାପା ମୌଖିକ ଭାବେ ଅଭିଯୋଗ କରିଛନ୍ତି ଏବଂ ମୁଁ ଏହାର ତଦନ୍ତ କରିବି' ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ