ଜୁହାର ପରିବାର ବଡୋଦରା’ର ସଦସ୍ୟବୃନ୍ଦଙ୍କ ପକ୍ଷରୁ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଭେଟଘାଟ
Nuakhai Bhetghat at Gujarat
Nuakhai Bhetghat at Gujarat


Nuakhai Bhetghat at Gujarat


ଝାରସୁଗୁଡ଼ା, ୧ ଅକ୍ଟୋବର (ହି.ସ.)- ଗୁଜରାଟର ବଡୋଦରା ସହରରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ, ‘ଜୁହାର ପରିବାର ବଡୋଦରା’ର ସଦସ୍ୟବୃନ୍ଦଙ୍କ ପକ୍ଷରୁ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଭେଟଘାଟ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।

ଏହି ଅବସରରେ ପଡ଼ିଆବାହାଲ, ସମ୍ବଲପୁର ଜିଲ୍ଲାର ଖ୍ୟାତନାମା ‘ସ୍ୱୟଂ ସାଂସ୍କୃତିକ ଅନୁଷ୍ଠାନ’ର କଳାକାରମାନେ ଯୋଗଦେଇ ସମ୍ବଲପୁରୀ ଗୀତ, ବାଦ୍ୟ ଓ ନୃତ୍ୟ ପରିବେଷଣ କରିଥିଲେ। କଳାକାରମାନଙ୍କ ମନମୁଗ୍ଧକର ପ୍ରଦର୍ଶନରେ ଉପସ୍ଥିତ ଦର୍ଶକ ଓ ଅତିଥିମାନେ ଝୁମିଉଠିଥିଲେ।

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲେ ଜୁହାର ପରିବାର ବଡୋଦରାର କୁନି କଳାକାର ସୁଶ୍ରୀ ଶ୍ରେୟା ସମାୟା ପଟେଲ। ତାଙ୍କର ମନୋରମ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ଜିଣି ଥିଲା। ଉପସ୍ଥିତ ଦର୍ଶକବୃନ୍ଦ ତାଙ୍କ ନୃତ୍ୟର ଭୁରି ଭୁରି ପ୍ରଶଂସା କରିଥିଲେ। ପଶ୍ଚିମ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପ୍ରତୀକ ସମ୍ବଲପୁରୀ ହସ୍ତତନ୍ତ୍ର ବସ୍ତ୍ରର ପ୍ରଚାର ଓ ଲୋକପ୍ରିୟତା ବୃଦ୍ଧି ଉଦ୍ଦେଶ୍ୟରେ ଉତ୍ସବରେ ଯୋଗଦେଇଥିବା ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ। ଏହା ମାଧ୍ୟମରେ ପ୍ରବାସରେ ମଧ୍ୟ ନିଜ ମାଟିର କଳା, ସଂସ୍କୃତି ଓ ହସ୍ତତନ୍ତ୍ର ପ୍ରତି ଭଲପାଇବାର ଏକ ସୁନ୍ଦର ବାର୍ତ୍ତା ଦିଆଯାଇଥିଲା।

ନୂଆଁଖାଇ ଅବସରରେ ପରିବେଷିତ ବିଭିନ୍ନ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ମଧ୍ୟ ସମସ୍ତଙ୍କ ମନ ମୋହିଥିଲା। ଅତିଥି ଓ ଦର୍ଶକମାନେ ସମ୍ବଲପୁରୀ ଗୀତ, ବାଦ୍ୟ, ନୃତ୍ୟ ସହିତ ପାରମ୍ପରିକ ଖାଦ୍ୟର ଭୁୟସୀ ପ୍ରଶଂସା କରିଥିଲେ। ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ନିଜ ମାଟି, ଭାଷା ଓ ସଂସ୍କୃତି ସହିତ ସମ୍ପର୍କକୁ ଆହୁରି ମଜବୁତ କରିବାରେ ଏହି ନୂଆଁଖାଇ ଉତ୍ସବ ଏକ ସୁନ୍ଦର ମାଧ୍ୟମ ପାଲଟିଥିଲା। ଏହି ଭବ୍ୟ ନୂଆଁଖାଇ ପର୍ବ ପାଳନରେ ଓଡ଼ିଶା ସରକାର ଏବଂ ଓ ଏନ୍ ଜି ସି ପକ୍ଷରୁ ସହଯୋଗ ମିଳିଥିଲା। ଆୟୋଜକମାନେ ସମସ୍ତ ସହଯୋଗୀ, କଳାକାର, ଅତିଥି ଓ ଉପସ୍ଥିତ ଦର୍ଶକଙ୍କୁ କୃତଜ୍ଞତା ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande