ଅନ୍ତ ଢାବାରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ : ୭ ପ୍ରକାର ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ, ୭ ଦିନ ମଧ୍ୟରେ କାଗଜପତ୍ର ଦାଖଲ ନିର୍ଦ୍ଦେଶ
Food-Safety-Dept-raid-JHS
ଅନ୍ତ ଢାବାରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ : ୭ ପ୍ରକାର ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ, ୭ ଦିନ ମଧ୍ୟରେ କାଗଜପତ୍ର ଦାଖଲ ନିର୍ଦ୍ଦେଶ


ଝାରସୁଗୁଡ଼ା, ୧ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା-କୋଲାବିରା ରାସ୍ତାର ରଘୁନାଥପାଲିସ୍ଥିତ ଅନ୍ତ ଢାବାରେ ମଙ୍ଗଳବାର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ଢାବାର ବୈଧ ଫୁଡ୍ ଲାଇସେନ୍ସ, ପାଣି ପରୀକ୍ଷା ରିପୋର୍ଟ ଏବଂ କର୍ମଚାରୀଙ୍କ ମେଡିକାଲ ଫିଟନେସ୍ ସାର୍ଟିଫିକେଟ୍ ଉପଲବ୍ଧ ନଥିବା ଅଧିକାରୀମାନେ ଦେଖିଥିଲେ। ଏଥିସହ ରୋଷେଇ ଘର ଓ ୱାସିଂ ଏରିଆର ସ୍ୱଚ୍ଛତା ବ୍ୟବସ୍ଥାରେ ମଧ୍ୟ କିଛି ତ୍ରୁଟି ଚିହ୍ନଟ ହୋଇଥିଲା। ଏହାକୁ ନେଇ ଖାଦ୍ୟ ସୁରକ୍ଷା ଅଧିକାରୀ ଢାବାର ସତ୍ତ୍ୱାଧିକାରୀ ଶୁଭମ ସରାଫଙ୍କୁ ନୋଟିସ ଜାରି କରିଛନ୍ତି। ନୋଟିସରେ ୭ ଦିନ ମଧ୍ୟରେ ଆବଶ୍ୟକ ବୈଧ କାଗଜପତ୍ର ଦାଖଲ କରିବା ସହ ଢାବା ପରିସରରେ ଉଚିତ ସ୍ୱଚ୍ଛତା ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହା ପାଳନ ନହେଲେ ଆଇନାନୁଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ, ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଓ ରାସାୟନିକ ପରୀକ୍ଷା ପାଇଁ ଢାବାରୁ ହରଡ଼ ଡାଲି, ଚାଉଳ, ହଳଦୀ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଲୁଣ ଓ ପାଣି ଭଳି ୭ ପ୍ରକାର ସାମଗ୍ରୀର ନମୁନା ସଂଗ୍ରହ କରାଯାଇଛି। ନମୁନାଗୁଡ଼ିକୁ ଭୁବନେଶ୍ୱରସ୍ଥିତ ପବ୍ଲିକ୍ ହେଲ୍ଥ ଲାବୋରେଟୋରୀକୁ ପରୀକ୍ଷା ପାଇଁ ପଠାଯାଇଛି। ତେବେ ଲାବୋରେଟୋରୀରୁ ପରୀକ୍ଷା ରିପୋର୍ଟ ଆସିନଥିବାରୁ ସଂଗୃହୀତ ଖାଦ୍ୟ ସାମଗ୍ରୀରେ ଭେଜାଲ ଥିବା ନେଇ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ତଥ୍ୟ ମିଳିନାହିଁ। ରିପୋର୍ଟ ଆସିବା ପରେ ହିଁ ଏନେଇ ସ୍ପଷ୍ଟ ଚିତ୍ର ମିଳିପାରିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande