୮ ଅକ୍ଟୋବର ଓଡ଼ିଶା ବନ୍ଦ , ଚାରି ଦଫା ଦାବିରେ ଇଣ୍ଡିଆ ବ୍ଲକର ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଆହ୍ୱାନ
ଭୁବନେଶ୍ୱର , ୦୧ ଅକ୍ଟୋବର (ହି.ସ.) - ଗଣତନ୍ତ୍ର, ମତଦାତାଙ୍କ ଭୋଟ ଅଧିକାର, ରାଜ୍ୟର ଖଣିଜ ସମ୍ପଦ ଓ ରାଜସ୍ୱ ଅଧିକାର, ଶିକ୍ଷା ବ୍ୟବସ୍ଥା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କ ନ୍ୟାୟସଙ୍ଗତ ଦାବିକୁ କେନ୍ଦ୍ର କରି ଇଣ୍ଡିଆ ବ୍ଲକ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନର ଆହ୍ୱାନ ଦିଆଯାଇଛି। ଏହି ଆନ୍ଦୋଳନର ଚାରିଟ
djc,lk


ଭୁବନେଶ୍ୱର , ୦୧ ଅକ୍ଟୋବର (ହି.ସ.) - ଗଣତନ୍ତ୍ର, ମତଦାତାଙ୍କ ଭୋଟ ଅଧିକାର, ରାଜ୍ୟର ଖଣିଜ ସମ୍ପଦ ଓ ରାଜସ୍ୱ ଅଧିକାର, ଶିକ୍ଷା ବ୍ୟବସ୍ଥା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କ ନ୍ୟାୟସଙ୍ଗତ ଦାବିକୁ କେନ୍ଦ୍ର କରି ଇଣ୍ଡିଆ ବ୍ଲକ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନର ଆହ୍ୱାନ ଦିଆଯାଇଛି। ଏହି ଆନ୍ଦୋଳନର ଚାରିଟି ପ୍ରମୁଖ ଦାବି ହେଉଛି - (୧) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବହିଷ୍କାର, (୨) “ଖଣି ଓ ଖଣିଜ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ, ୨୦୨୬ ତୁରନ୍ତ ରଦ୍ଦ କରିବା , (୩) ପାଠ୍ୟପୁସ୍ତକ ଯୋଗାଣରେ ଚରମ ଅରାଜକତା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଏବଂ (୪) ବନ୍ୟା କ୍ଷତିଗ୍ରସ୍ତ ସମସ୍ତଙ୍କୁ ପର୍ଯ୍ୟାପ୍ତ ଓ ଯଥୋଚିତ କ୍ଷତିପୂରଣ।

୨ ରୁ ୮ ଅକ୍ଟୋବର ୨୦୨୬ “ଗଣତନ୍ତ୍ର ବଂଚାଅ ସପ୍ତାହ” ଭାବେ ପାଳନ କରାଯିବ। ୨ ଅକ୍ଟୋବରରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ ଓ ସାମ୍ବାଦିକ ସମ୍ମିଳନୀ, ୩ ଅକ୍ଟୋବରରେ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଏବଂ ୩ ରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ସ୍ଥାନୀୟ ସଭା, ପଦଯାତ୍ରା ଓ ଜନଜାଗରଣ କାର୍ଯ୍ୟକ୍ରମ କରାଯିବ। ସାର୍ବଜନୀନ କାର୍ଯ୍ୟକ୍ରମରେ ସମ୍ବିଧାନର ଧାରା ୩୨୬ ପାଠ କରାଯିବ। ୬ ଅକ୍ଟୋବରରେ ପ୍ରତ୍ୟେକ ଜିଲ୍ଲାରେ ବିଶାଳ ପଦଯାତ୍ରା ଓ ଜନସଭା, ଏବଂ ୭ ଅକ୍ଟୋବରରେ ରାଜଧାନୀ ସମେତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ମଶାଲ ଶୋଭାଯାତ୍ରା ହେବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ପର୍ଯ୍ୟାୟ ଭାବେ ୮ ଅକ୍ଟୋବର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ “ଓଡ଼ିଶା ବନ୍ଦ ପାଳନ” କରାଯିବ। ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ସଫଳ କରିବା ପାଇଁ ଛାତ୍ର, ଯୁବ, ମହିଳା, କୃଷକ, ଶ୍ରମିକ, ବ୍ୟବସାୟୀ, ପରିବହନ ଶିଳ୍ପ, ଆଇନଜୀବୀ, ବୁଦ୍ଧିଜୀବୀ ଓ ସମସ୍ତ ଗଣତନ୍ତ୍ରପ୍ରେମୀ ଜନସାଧାରଣଙ୍କୁ ଇଣ୍ଡିଆ ବ୍ଲକ ପକ୍ଷରୁ ଆହ୍ୱାନ କରାଯାଇଛି। ରାଜ୍ୟର ଅଧିକାର ଓ ଜନସ୍ୱାର୍ଥ ସୁରକ୍ଷା ପାଇଁ ଏହି ବନ୍ଦକୁ ଏକ ବ୍ୟାପକ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ୱାନ ଦିଆଯାଇଛି। ଅତ୍ୟାବଶ୍ୟକ ସେବାଗୁଡ଼ିକ ବନ୍ଦରୁ ବାଦ୍ ଦିଆଯିବ।

ଆଜି କଂଗ୍ରେସ ଭବନଠାରେ ରାଜ୍ୟ କଂଗ୍ରେସ ସଭାପତି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଇଣ୍ଡିଆ ବ୍ଲକର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ୟାପକ ବିଚାର, ବିମର୍ଷ ଏବଂ ଚର୍ଚ୍ଚା କରାଯାଇ ଉପରୋକ୍ତ ନିଷ୍ପତିଗୁଡ଼ିକ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି। ଆଜିକାର ବୈଠକରେ ସି.ପି.ଆଇ. ରାଜ୍ୟ ସଂପାଦକ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, ସି.ପି.ଆଇ.(ଏମ୍) ରାଜ୍ୟ ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସି.ପି.ଆଇ.(ଏମ୍.ଏଲ୍.)-ଲିବରେସନ ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍.ସି.ପି.-(ଶରଦ ପାୱାର) ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆର୍.ଜେ.ଡ଼ି.ର ରାଜ୍ୟ ସାଧାରଣ ସଂପାଦକ ହେମନ୍ତ କୁମାର ଏବଂ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବଙ୍କ ସମେତ ବିଭିନ୍ନ ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଓ ଶ୍ରୀ ଅରବିନ୍ଦ ଦାସ ଏବଂ ବରିଷ୍ଠ ବାମପନ୍ଥୀ ନେତା ଅଳି କିଶୋର ପଟ୍ଟନାୟକ, ଜୟନ୍ତ ଦାସ, ମହେନ୍ଦ୍ର ପରିଡ଼ା ଓ ଯମେଶ୍ୱର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande