
ମାଲକାନଗିରି, ୧ ଅକ୍ଟୋବର (ହି.ସ.)- ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରୁଥିବା ଜଣେ ଆନ୍ତଃରାଜ୍ୟ ଚୋରକୁ କାବୁ କରିଛି ପଡିଆ ପୁଲିସ। ମାଲକାନଗିରି ଜିଲ୍ଲାର ସୀମାବର୍ତ୍ତୀ ପଡିଆ ଥାନା ଅଞ୍ଚଳରେ ଚୋରି ଘଟଣାର ତଦନ୍ତ କରି ପୁଲିସ ଭଦ୍ରାଚଳମ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ କାନିଥି ଭେଙ୍କେଟେଶ୍ୱରାଲୁ ବୋଲି ଜଣାପଡିଛି ।
ପୁଲିସ ସୂଚନା ଅନୁଯାୟୀ, ଏମଭି-୧୧୭ ଗ୍ରାମର ପୂର୍ଣ୍ଣିମା ସାନା ଅସୁସ୍ଥତା କାରଣରୁ ଗତ ୨୦ ସେପ୍ଟେମ୍ବରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ରାତିରେ ଘରର ତାଲା ଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଥିଲା। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ନଗଦ ପ୍ରାୟ ୧୦ ହଜାର ଟଙ୍କା, ସୁନା ମୁଦି, ସୁନା ଚେନ୍ ସହ ଏକ ମାଟି କୁଣ୍ଡିରେ ରହିଥିବା ପ୍ରାୟ ୬ରୁ ୮ ହଜାର ଟଙ୍କା ଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ପୂର୍ଣ୍ଣିମା ପଡିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକାରୀ ଓ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିବା ସହ ଚୋରକୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ଦିଗରୁ ଛାନଭିନ ଜାରି ରହିଥିଲା। ଏହି କ୍ରମରେ ଗତ ୨୭ ତାରିଖ ବିଳମ୍ବିତ ରାତିରେ ପଡିଆ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଗଠନ କରାଯାଇଥିଲା। ପୁଲିସ ସୂଚନା ଓ ସ୍ଥାନୀୟ ଖବରଦାତାଙ୍କ ସହଯୋଗରେ ଜାଲ ବିଛାଇ ଅଭିଯୁକ୍ତ ଭେଙ୍କେଟେଶ୍ୱରାଲୁକୁ କାବୁ କରାଯାଇଥିଲା। ପୁଲିସର ପଚରାଉଚରା ସମୟରେ ଅଭିଯୁକ୍ତ ଏମଭି-୧୧୭ ଗ୍ରାମର ପୁର୍ଣିମାଙ୍କ ଘରେ ଚୋରି କରିଥିବା ଘଟଣାରେ ନିଜର ସମ୍ପୃକ୍ତି ସ୍ୱୀକାର କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ପୋଲିସ ତଦନ୍ତରୁ ଅଭିଯୁକ୍ତ ପୂର୍ବରୁ ୨୦୧୦ରୁ ୨୦୨୬ ମଧ୍ୟରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରାୟ ୨୫ଟି ଡକାୟତି ମାମଲାରେ ଜଡ଼ିତ ଥିବା ସୂଚନା ମିଳିଛି। ସୀମାବର୍ତ୍ତୀ ଅଞ୍ଚଳରେ ପଡୋଶୀ ରାଜ୍ୟରୁ ଆସି ଅଜଣା ବ୍ୟକ୍ତିମାନେ ରାତି ସମୟରେ ଘରକୁ ଘର ବୁଲି ଚୋରି କରୁଥିବା ଘଟଣାକୁ ନେଇ ପଡିଆ ପୁଲିସର ନଜରଦାରି ବଢ଼ିଥିବା ବେଳେ ଏହି ଗିରଫକୁ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି । ଅନ୍ୟପକ୍ଷରେ ଚୋରି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ