
କେନ୍ଦୁଝର, ୦୧ ଅକ୍ଟୋବର (ହି.ସ.) - ଚମ୍ପୁଆ ଧରଣୀଧର ଟାଉନ ହଲ୍ଠାରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ନାଟ୍ୟ ନିର୍ଦ୍ଦେଶକ ତଥା କଳାକାର ପ୍ରକାଶ ଚନ୍ଦ୍ର କୁଣ୍ଡୁଙ୍କୁ ବଦଳି କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ପରିଷଦ ପକ୍ଷରୁ ଆୟୋଜିତ ସଭାରେ ତାଙ୍କର କାର୍ଯ୍ୟଧାରା, କଳା ଓ ସାହିତ୍ୟ କ୍ଷେତ୍ର ପ୍ରତି ଅବଦାନକୁ ମନେ ପକାଇ ବିଭିନ୍ନ ବକ୍ତା କହଥିଲେ। ପରିଷଦର ମଂଚ ପରିଚାଳକ ଧରଣୀଧର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ସଂଯୋଜକ ତରୁଣ ସାହୁ, ସମ୍ପାଦକ ଭକ୍ତବନ୍ଧୁ ପ୍ରଧାନ, ରେଞ୍ଜର ସାଗର ରାଜ ନାୟକ, ସହକାରୀ ଜିଲ୍ଲାପାଳ ଚନ୍ଦନ ମଣ୍ଡଳ, ଚମ୍ପୁଆ ଥାନା ଅଧିକାରୀ ସ୍ୱରୂପ ରଞ୍ଜନ ନାୟକ, ସୌମେନ୍ଦ୍ର ଦାଶ,ନାଟ୍ୟ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର କୁଣ୍ଡୁ ଓ ଉପସ୍ଥାପକ ଦାଶରଥି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦର କଳାକାରମାନେ ପ୍ରକାଶ ଚନ୍ଦ୍ର କୁଣ୍ଡୁଙ୍କ ସହ ବିତାଇଥିବା ବିଭିନ୍ନ ସ୍ମୃତିକୁ ମନେ ପକାଇଥିଲେ। କଳା ଓ ନାଟ୍ୟ କ୍ଷେତ୍ରରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ନିକଟରୁ ପାଇଥିବା ମାର୍ଗଦର୍ଶନ ଓ ଅନୁଭୂତି ବିଷୟରେ କଳାକାରମାନେ ମତ ରଖିଥିଲେ।
ବଦଳି ଯୋଗୁଁ ପ୍ରକାଶ ଚନ୍ଦ୍ର କୁଣ୍ଡୁ ଚମ୍ପୁଆରୁ ବିଦାୟ ନେଉଥିବାରୁ ସମାରୋହରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ଉପସ୍ଥିତ ଅତିଥି ଓ ପରିଷଦର ସଦସ୍ୟମାନେ ତାଙ୍କର ନୂତନ କର୍ମସ୍ଥଳୀରେ ସଫଳତା କାମନା କରିବା ସହ ଭବିଷ୍ୟତରେ ମଧ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଅବଦାନ ଜାରି ରହୁ ବୋଲି ଶୁଭେଚ୍ଛା ଜଣାଇଥିଲେ।ଶେଷରେ ଭାଷ୍କର ମହାକୁଡ଼ ସମସ୍ତ ଅତିଥି, କଳାକାର, ପରିଷଦର ସଦସ୍ୟ ଓ ଉପସ୍ଥିତ ସାହିତ୍ୟ-ସଂସ୍କୃତିପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA