
ନୂଆଦିଲ୍ଲୀ, ଅକ୍ଟୋବର 1 (ହି.ସ): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କ୍ୟାପଟେନ ସ୍ମିତ ମଛାରଙ୍କୁ ପ୍ରଶଂସା କରିବା ସହ ତାଙ୍କର ଅସାଧାରଣ ସାହସକୁ ସଲାମ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଦୁବାଇରୁ ଇସ୍ରାଏଲର ତେଲ ଆଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଘଟିଥିବା ଘଟଣା ପରେ କ୍ୟାପଟେନ ମଛାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ଘଟଣାରେ କ୍ୟାପଟେନ ସ୍ମିତ ମଛାର ଜଣେ ହିରୋ ଭାବେ ଉଭା ହୋଇଛନ୍ତି।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଧିକାରିକ ‘ଏକ୍ସ’ ହ୍ୟାଣ୍ଡଲରେ ଆମ୍ବେକର କହିଛନ୍ତି, “ସେ ନିଜ କର୍ତ୍ତବ୍ୟର ସୀମା ଅତିକ୍ରମ କରି ୧୭୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟତା କରିଛନ୍ତି। ସେ ଜଣେ ପ୍ରକୃତ ହିରୋ ଏବଂ ତାଙ୍କ ସାହସ ଓ ସମୟୋପଯୋଗୀ ପଦକ୍ଷେପ ପାଇଁ ସମଗ୍ର ଦେଶ ତାଙ୍କ ପାଇଁ ଗର୍ବିତ। ତାଙ୍କର ଶୀଘ୍ର ଏବଂ ସମ୍ପୂର୍ଣ୍ଣ ସୁସ୍ଥତା କାମନା କରୁଛି।”
ଉଲ୍ଲେଖଯୋଗ୍ୟ ଯେ, ଫ୍ଲାଏଦୁବାଇର ବିମାନରେ ଓମାନର ନିବାସୀ ସହ-ପାଇଲଟ ମଛାରଙ୍କ ଉପରେ ଛୁରିରେ ଆକ୍ରମଣ କରିଥିଲେ ଏବଂ ବିମାନକୁ ଦୁର୍ଘଟଣାଗ୍ରସ୍ତ କରାଇବାକୁ ଚେଷ୍ଟା କରିଥିଲେ। ମଛାର ଆହତ ଅବସ୍ଥାରେ ମଧ୍ୟ ସାହସ ପ୍ରଦର୍ଶନ କରିବା ସହ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇ ବିମାନକୁ ଦୁର୍ଘଟଣାରୁ ବଞ୍ଚାଇ ସୁରକ୍ଷିତ ଅବତରଣ କରାଇଥିଲେ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା