
ମଦୁରାନ୍ତକମ୍, ୧ ଅକ୍ଟୋବର (ହି.ସ.)- ଚେଙ୍ଗଲପାଟ୍ଟୁ ଜିଲ୍ଲାର ମଦୁରାନ୍ତକମ୍ (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ ତାରିଖରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ତେବେ, ନିର୍ବାଚନ ତାରିଖ ପାଖେଇ ଆସୁଥିବା ସତ୍ୱେ ଏହି ଅଂଚଳରେ ଆଶାନୁରୂପ ନିର୍ବାଚନୀ ହଲଚଲ୍ ଦୃଶ୍ୟମାନ ହେଉନାହିଁ । ସ୍ଥାନୀୟ ଲୋକମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି ।
ଶାସକ ଦଳ ତାମିଲଗା ଭେଟ୍ରି କଝଗମ (ଟିଭିକେ) ସହିତ ଦ୍ରାବିଡ଼ ମୁନେତ୍ର କଡ଼ଗମ (ଡିଏମକେ) ଏବଂ ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ର କଡ଼ଗମ (ଏଆଇଏଡିଏମକେ) ଆଦି ବିରୋଧୀ ଦଳଗୁଡ଼ିକ ପ୍ରଚାର ଅଭିଯାନକୁ ଜୋରଦାର୍ କରିଛନ୍ତି । ହିନ୍ଦୁସ୍ତାନ ସମାଚାର ତାମିଲର ଟିମ୍ ଏହି ଅଂଚଳର ଭୋଟରଙ୍କ ଆଭିମୁଖ୍ୟ କ'ଣ ଏବଂ ସେମାନେ ସମ୍ମୁଖୀନ ହେଉଥିବା ସ୍ଥାନୀୟ ସମସ୍ୟା କ'ଣ ତାହା ଜାଣିବା ପାଇଁ ଏହି ଅଂଚଳର ଏକ ଗ୍ରାଉଣ୍ଡ ସର୍ଭେ କରିଥିଲେ ।
୨୦୨୬ ବିଧାନସଭା ନିର୍ବାଚନରେ ଏ.ଆଇ.ଏ.ଡି.ଏମ୍.କେ. ଟିକେଟ୍ ରେ ମରଗଡମ୍ କୁମାରଭେଲ ମଦୁରାନ୍ତକମ୍ ବିଧାନସଭା ଆସନରେ ବିଜୟୀ ହୋଇଥିଲେ । ପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ତାମିଲଗା ଭେଟ୍ରି କଝଗମ (ଟିଭିକେ)ରେ ଯୋଗ ଦେଇଥିଲେ । ତାଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଆସନ ପାଇଁ ବର୍ତମାନ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ଟି.ଭି.କେ.ରୁ ମରଗଡମ୍ କୁମାରଭେଲ, ଡି. ଏମ୍. କେ. ରୁ ଆଇ. ପରଂଧାମନ ଏବଂ ଏ. ଆଇ. ଏ. ଡି. ଏମ୍. କେ. ରୁ କନିତା ସମ୍ପତଙ୍କ ସମେତ ଅନେକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ମଦୁରାନ୍ତକମ୍ ବିଧାନସଭା ନିର୍ବାଚନମଣ୍ଡଳୀର ବାସିନ୍ଦା କନ୍ନମ୍ମାଲ୍ କହିଛନ୍ତି, ଆମେ ଆଶା କରିଥିଲୁ ଯେ ସେ ଲୋକଙ୍କ ପାଇଁ କାମ କରିବେ, ତେଣୁ ଆମେ ଗତ ନିର୍ବାଚନରେ ମାରଗଡମ୍ କୁମାରଭେଲଙ୍କୁ ଭୋଟ୍ ଦେଇଥିଲୁ । ତାଙ୍କ ଦଳ ପରିବର୍ତନରେ ଆମେ ଦୁଃଖିତ' ।
ନିର୍ବାଚନ ପ୍ରକ୍ରିୟାର ଅଂଶବିଶେଷ ସ୍ୱରୂପ, ୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଡାକ ବାଲାଟ୍ ସୁବିଧା ଉପଲବ୍ଧ କରାଯାଇଛି । ମଦୁରାନ୍ତକମ୍ ବିଧାନସଭା ନିର୍ବାଚନମଣ୍ଡଳୀରେ ୮୦ ବର୍ଷରୁ ଅଧିକ ବୟସର ୪୫୧ ଜଣ ଭୋଟର ଏବଂ ୪୮୦ ଜଣ ଦିବ୍ୟାଙ୍ଗ ଭୋଟର, ଅର୍ଥାତ୍ ମୋଟ୍ ୯୩୧ ଜଣ ଭୋଟର ଏହି ସୁବିଧା ପାଇଁ ଯୋଗ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ୮୯୩ ଜଣ ପୋଷ୍ଟାଲ ବାଲାଟ୍ ଜରିଆରେ ଭୋଟ୍ ଦେଇଥିବା ବେଳେ ୩୮ ଜଣ ଭୋଟ୍ ଦେଇନଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ