ଛାତ୍ର ସଂସଦ ନିର୍ବାଚନ: ଇସ୍ତାହାର ଘୋଷଣା କଲା ଏବିଭିପି
ଜୟପୁର, , ୧୩ ଅକ୍ଟୋବର (ହି.ସ.) : କୋରାପୁଟ ଜିଲା ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ପକ୍ଷରୁ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରାଯାଇ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ସଭାପତି ପ୍ରାର୍ଥୀ ଜ୍ୟୋତ
ଛାତ୍ର ସଂସଦ ନିର୍ବାଚନ: ଇସ୍ତାହାର ଘୋଷଣା କଲା ଏବିଭିପି


ଜୟପୁର, , ୧୩ ଅକ୍ଟୋବର (ହି.ସ.) : କୋରାପୁଟ ଜିଲା ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ପକ୍ଷରୁ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରାଯାଇ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ସଭାପତି ପ୍ରାର୍ଥୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ ନିଜ ପ୍ୟାନେରେ ସଦସ୍ୟଙ୍କ ସହ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଓ କ୍ୟାମ୍ପସର ବିକାଶ ପାଇଁ ବିଭିନ୍ନ ପ୍ରତିଶ୍ରୁତି ରଖିଛନ୍ତି। ପାଣିଗ୍ରାହୀ କହିଛନ୍ତି, ଏବିଭିପି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ କାର୍ଯ୍ୟ କରୁଛି। ଛାତ୍ର ସଂସଦ ନିର୍ବାଚନରେ ବାହାର ରାଜନୈତିକ ନେତାଙ୍କ ହସ୍ତକ୍ଷେପ, ଅର୍ଥବଳ ଓ ପ୍ରଲୋଭନରୁ ଦୂରେଇ ରହି ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଇସ୍ତାହାରରେ କ୍ୟାମ୍ପସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଚଳ ଆକ୍ୱାଗାର୍ଡର ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଓ ଛାତ୍ରୀ ସାଧାରଣ କକ୍ଷର ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଛାତ୍ରୀଙ୍କ ପାଇଁ ସାନିଟାରୀ ପ୍ୟାଡ୍ ଯୋଗାଣ ମେସିନ କାର୍ଯ୍ୟକାରୀ କରିବା ସହ ବିଶ୍ୱବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ଦାବି ରଖାଯାଇଛି। ତେଲିଗୁଡ଼ାରେ ଥିବା ଛାତ୍ରାବାସରୁ କ୍ୟାମ୍ପସକୁ ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ ସ୍ୱତନ୍ତ୍ର ବସ୍ ସେବା ଆରମ୍ଭ କରିବାକୁ ମଧ୍ୟ ଇସ୍ତାହାରରେ ଉଲ୍ଲେଖ କରାଯାଇଛି। ସେହିପରି ବିଏସ୍ସି କୃଷି ସହ ହିନ୍ଦୀ, ସଂସ୍କୃତ ଏବଂ ଲଜିଷ୍ଟିକ୍ସ ଓ ସପ୍ଲାଏ ଚେନ୍ ପରିଚାଳନା ଭଳି ନୂତନ ପାଠ୍ୟକ୍ରମ ଆରମ୍ଭ କରିବା, ସେଲ୍ଫ- ଫାଇନାନ୍ସିଂ ପାଠ୍ୟକ୍ରମର ଅଧିକ ଫି’ ହ୍ରାସ କରି ସେଗୁଡ଼ିକୁ ନିୟମିତ ପାଠ୍ୟକ୍ରମରେ ପରିଣତ କରିବାକୁ ପରିଷଦ ଦାବି କରିଛି। ଏଥି ସହ ୪ କୋଟି ଟଙ୍କାର ଅନୁଦାନ ସତ୍ୱେ ଅବହେଳିତ ହୋଇପଡ଼ିଥିବା ଖେଳପଡ଼ିଆର ଉନ୍ନତିକରଣ ଏବଂ ପ୍ରତିବର୍ଷ ବିଶ୍ୱବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜନ କରିବା ଉପରେ ମଧ୍ୟ ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଛି।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ପ୍ରାର୍ଥୀ ଦିନେଶ ପାଣିଗ୍ରାହୀ, ସମ୍ପାଦିକା ପ୍ରାର୍ଥୀ ପି. ହୋମେଶ୍ୱରୀ, ସହ-ସମ୍ପାଦକ ପ୍ରାର୍ଥୀ ପର୍ଶୁରାମ ଗୋଲାରୀ, ଆଥଲେଟିକ୍ ସମ୍ପାଦକ ଆଶୁତୋଷ ମହାନ୍ତି, ନାଟ୍ୟ ସମ୍ପାଦିକା ପ୍ରାର୍ଥୀ ପଲ୍ଲକ ପଟ୍ଟନାୟକ, ବିଜ୍ଞାନ ସମ୍ପାଦକ ପ୍ରାର୍ଥୀ ଅମ୍ବିକା ପିଲେ, ଗାଲର୍ସ କମନ ରୁମ ସମ୍ପାଦିକା ପ୍ରାର୍ଥୀ ଲିସା ମହାପାତ୍ର, ଡେ ସ୍କଲାର୍ସ ଆସୋସିଏସନ ପ୍ରାର୍ଥୀ ଶୁଭମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande