
ବଲାଙ୍ଗିର, 13 ଅକ୍ଟୋବର (ହି.ସ.)
- ଅଖିଳ ଓଡିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସଭାଗୃହରେ ସୋମବାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଓଡିଶାର ବିଭିନ୍ନ ଜଜ୍ସିପ୍ ରୁ ଆସିଥିବା ନ୍ୟାୟିକ କର୍ମଚାରୀ ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ସମାରୋହରେ ବଲାଙ୍ଗିର ର ଜିଲ୍ଲା ଓ ଦୌରା ଜଜ୍ ହରିଣ୍ମୟ ବିଶୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଲାଙ୍ଗିରର ଭିଜିଲାନ୍ସ ଜଜ୍ ବେଣୁଧର ପତ୍ର, ବରିଷ୍ଠ ଆଇନଜିବୀ ଅମରେନ୍ଦ୍ର ମିଶ୍ର ଏବଂ ବଲାଙ୍ଗିର ବାର ଆସୋସିଏସନର ସଭାପତି ବାସୁଦେବ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଖିଳ ଓଡଶା ନ୍ୟାୟିକ କର୍ମଚାରୀ ସଂଘର ପୂର୍ବତନ ସଭାପତି ରାଜେଶ ଦୋରା ଙ୍କ ଅଧ୍ୟକ୍ଷତାରେ ବୈଠକଟି ପରିଚାଳିତ ହୋଇଥିଲା । ଏହି ରାଜ୍ୟସ୍ତରୀୟ ସମବେଶରେ ସଂଘର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିତ୍ୟାନନ୍ଦ ଦାସ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଆୟୋଜକ ବଲାଙ୍ଗିର ଜଜ୍ସିପ୍ ର ପ୍ରତିନିଧି ଆକାଶ କୁମାର ତ୍ରିପାଠୀ ସଂଘର ରାଜ୍ୟ ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କର ଏହି ବିଜୟ ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାବେଳେ ଜିଲ୍ଲାର ନ୍ୟାୟିକ କର୍ମଚାରୀଙ୍କ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଭାବେ ବିବେଚିତ ହୋଇଛି । ଅନ୍ୟାନ୍ୟ ପଦବୀ ମଧ୍ୟରେ ଦିଲେଶ୍ୱର ଦାଶ ସଭାପତି ଏବଂ ସୁବେନ୍ଦୁ ସାହୁ ସଂଗଠନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସତ୍ୟବ୍ରତ ସାହୁ, ଅଜିତ କୁମାର ଷଡଙ୍ଗୀ ଓ ବିରେନ୍ଦ୍ର କର୍ଣ୍ଣ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ଗଗନ ପାଣିଗ୍ରାହୀ, ଅଂଶୁମାନ ଦାଶ, ସୁରେଶ କିରୋ, ବିକ୍ରମ ମହାରଣା ସହକାରୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ରାଜ୍ୟସ୍ତରୀୟ ସମାବେଶକୁ ସଫଳା ର ସହ ଆୟୋଜନ କରିବାରେ ଅଖିଳ ଓଡିଶା ନ୍ୟାୟିକ କର୍ମଚାରୀ ସଂଘର ବଲାଙ୍ଗିର ଜିଲ୍ଲା ଶାଖାର ଅବଦାନ ଉଲ୍ଲେଖନୀୟ ଥିଲା । ଜିଲ୍ଲା ଶାଖା ସଭାପତି ସୁବ୍ରତ କୁମାର ମିଶ୍ରଙ୍କ ସମେତ ଅନିଲ କୁମାର ତ୍ରିପାଠି, ଉତ୍ତମ ପଣ୍ଡା, ଚିତ୍ତ ରଂଜନ ପାଢୀ, ସୁଜିତ କୁମାର ସ୍ୱାଇଁ, ବିଶ୍ୱ ରଂଜନ ପୃସେଠ, ଲକ୍ଷ୍ମୀନାରାୟଣ ସିଂହ ଓ ଶ୍ରଦ୍ଧାଞ୍ଜଳି ମେହେର ଙ୍କ ସକ୍ରିୟ ସହଯୋଗ ଓ ନିଷ୍ଠାପର ଉଦ୍ୟମ ଏହି ଆୟୋଜନ ସଫଳ କରିଥିଲା । ଆକାଶ କୁମାର ତ୍ରିପାଠି ଙ୍କ ରାଜ୍ୟ ମହାସଚିବ ଭାବେ ନିର୍ବାଚନ ବଲାଙ୍ଗିର ଜଜ୍ସିପ ପାଇଁ ଏକ ଗର୍ବର ମୁହୁର୍ତ୍ତ । ତାଙ୍କର ଏହି ନୂତନ ଦାୟିତ୍ୱ ରାଜ୍ୟସ୍ତରରେ ବଲାଙ୍ଗିରର ପ୍ରତିନିଧିତ୍ୱ କୁ ଆହୁରି ସୁଦୃଢ କରିବା ସହ ନ୍ୟାୟିକ କର୍ମଚାରୀଙ୍କ ସମସ୍ୟା ଓ ଦାବି ଗୁଡିକୁ ଉପଯୁକ୍ତ ମଂଚରେ ଉପସ୍ଥାପନ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ