
ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଆସନ୍ତାକାଲି ବୁଧବାର ଠାରୁ ପ୍ରଥମଥର ପାଇଁ ଏକ ଅତ୍ୟାଧୁନିକ ଘରୋଇ ଯାତ୍ରୀବାହୀ ବସ୍ ଭଦ୍ରକରୁ ବାଙ୍ଗାଲୋର ଯାତ୍ରା କରିବ। ଏହି ଅବସରରେ ଆଜି ଅତ୍ୟାଧୁନିକ ୩ଟି ବସ୍ଟିକୁ ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ଭଦ୍ରକ ନୂଆ ବସଷ୍ଟାଣ୍ଡରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଜିଲା ତଥା ଆଖପାଖ ଅଂଚଳର ବହୁ ଛାତ୍ର, ଯୁବକ, ସରକାରୀ କର୍ମଜୀବୀମାନେ ବାଙ୍ଗାଲୋରରେ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭଦ୍ରକର ପ୍ରତିଷ୍ଠିତ ପାଢୀ ଟ୍ରାଭେଲ୍ସ ର ମୁଖ୍ୟ ହେମନ୍ତ କୁମାର ପାଢୀ ଏଭଳି ପ୍ରୟାସ କରିଛନ୍ତି। ଏହି ଅତ୍ୟାଧୁନିକ ବସ୍ରେ ଯାତ୍ରୀଙ୍କ ପାଇଁ ମାଗଣାରେ ଟିଫିନ୍ ଓ ପାନୀୟଜଳର ବ୍ୟବସ୍ଥା ରହିଛି। ଏହାବ୍ୟତୀତ ଶୋଇବା ପାଇଁ ୩୦ ଟି ସ୍ଲିପର ଓ ବସିବା ପାଇଁ ୧୨ ଟି ସିଟ୍ର ବ୍ୟବସ୍ଥା ରହିଛି। ପ୍ରତିଦିନ ସକାଳ ୭ଟାରେ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡରୁ ବାହାରି ତା ପରଦିନ ବାଙ୍ଗାଲୋରରେ ୧୦.୩୦ ରେ ପହଂଚିବ । ସେଠାରୁ ପୁଣି ଭଦ୍ରକ ଅଭିମୁଖେ ଅପରାହ୍ନ ୪.୩୦ ରେ ବାହାରିବ ବୋଲି ପାଢୀ ଟ୍ରାଭେଲ୍ସର ପରିଚାଳକ ସୂଚନା ଦେଇଛନ୍ତି। ଏହି ଉଦ୍ଘାଟନ ସମୟରେ ବସ୍ ସିଣ୍ଡିକେଟ୍ର ସଭାପତି ଶ୍ରୀନିବାସ ପତି, ସଂପାଦକ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ସହ ବସ୍ ସିଣ୍ଡିକେଟ୍ର କର୍ମକର୍ତା ଓ ବହୁ ବସ୍ ମାଲିକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ