
ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଆଗାମୀ ୨୦୨୭ ମସିହାରେ ହେବାକୁ ଥିବା ପଂଚାୟତିରାଜ ଅନୁଷ୍ଠାନ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଡୋର ଟୁ ଡୋର୍ ସର୍ଭେ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଏବଂ ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ। ଭଣ୍ଡାରିପୋଖରୀ ସହ ଧାମନଗର ଅଂଚଳରେ ମଧ୍ୟ ଏହି ସର୍ଭେ ଓ ତାଲିମ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି। କାର୍ଯ୍ୟକ୍ରମରେ ସୁପରଭାଇଜର, ବୁଥ୍ସ୍ତରୀୟ ଅଧିକାରୀ ଏବଂ ସହାୟକ ଟିମ୍ ସଦସ୍ୟମାନଙ୍କୁ ଘରକୁ ଘର ଯାଇ ସର୍ଭେ କରିବା, ଭୋଟରଙ୍କ ତଥ୍ୟ ଯାଂଚ କରିବା ଓ ଭୋଟର ତାଲିକାକୁ ଅଦ୍ୟତନ ରଖିବା ସମ୍ପର୍କରେ ତାଲିମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସର୍ଭେ ମାଧ୍ୟମରେ ଯୋଗ୍ୟ ନୂତନ ଭୋଟରଙ୍କ ନାମ ତାଲିକାରେ ସାମିଲ କରିବା, ଭୋଟରଙ୍କ ବିବରଣୀରେ ଥିବା ତ୍ରୁଟି ସଂଶୋଧନ କରିବା ଏବଂ ନିୟମାନୁସାରେ ଅଯୋଗ୍ୟ ନାମଗୁଡ଼ିକୁ ବାଦ୍ ଦେବା ଉପରେ ଗୁରୁତ୍ୱ ଦିଆଯିବ। ଏକ ନିର୍ଭୁଲ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ଦ୍ୱାରା ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁସଂଗଠିତ ଓ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି। ଆଗାମୀ ପଂଚାୟତିରାଜ ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ଶୁଦ୍ଧୀକରଣ ଓ ଅଦ୍ୟତନ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ