
Bhubaneswar, 13 ଅକ୍ଟୋବର (ହି.ସ.)
ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଏବଂ ମାନବସେବାର ମହତ୍ତ୍ୱକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ପକ୍ଷରୁ କଟକର ଭାନପୁର, ଡାହାଳିଆବାଗସ୍ଥିତ ଦିଶା ନିଶାମୁକ୍ତି ପୁନର୍ବାସ କେନ୍ଦ୍ର ପରିସରରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ପିକକ୍ ଦ୍ୱାରା ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସହଯୋଗରେ ଫେବୃଆରୀ ୨୦୨୪ ଠାରୁ ଦିଶା ନିଶାମୁକ୍ତି ପୁନର୍ବାସ କେନ୍ଦ୍ର ପରିଚାଳିତ ହୋଇଆସୁଛି। ଏହି କେନ୍ଦ୍ର ମାଧ୍ୟମରେ ନିଶାସକ୍ତ ବ୍ୟକ୍ତିମାନଙ୍କୁ ଚିକିତ୍ସା, ପରାମର୍ଶ ଓ ପୁନର୍ବାସ ସେବା ଯୋଗାଇ ଦିଆଯାଉଛି। ଏପର୍ୟ୍ୟନ୍ତ କେନ୍ଦ୍ର ମାଧ୍ୟମରେ ୭୮୦ ଜଣ ହିତାଧିକାରୀ ଚିକିତ୍ସା ଓ ସହାୟତା ପାଇସାରିଛନ୍ତି। ଏଥିସହିତ, ଅନ୍ତେବାସୀମାନଙ୍କୁ ବିଭିନ୍ନ ଦକ୍ଷତା ବିକାଶମୂଳକ ପ୍ରଶିକ୍ଷଣ ଦିଆଯାଉଛି, ଯାହାଦ୍ୱାରା ସେମାନେ ନିଜ ପରିବାର ଓ ସମାଜରେ ସମ୍ମାନର ସହ ପୁନଃସ୍ଥାପିତ ହୋଇପାରିବେ।
ଏହି ରକ୍ତଦାନ ଶିବିରରେ ଦିଶା କେନ୍ଦ୍ରର ୧୬ ଜଣ ଅନ୍ତେବାସୀଙ୍କ ସମେତ ମୋଟ ୨୨ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ଅଂଶଗ୍ରହଣ କରି ୨୨ ୟୁନିଟ୍ ଅର୍ଥାତ୍ ୬.୬ ଲିଟର ରକ୍ତ ଦାନ କରିଥିଲେ। ଏହି ମହତ୍ କାର୍ୟ୍ୟ ଜରିଆରେ ରକ୍ତଦାତାମାନେ ଅନ୍ୟର ଜୀବନ ରକ୍ଷା କରିବା ସହ ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଥିଲେ।
ଏହି କାର୍ୟ୍ୟକ୍ରମକୁ ପ୍ରକଳ୍ପ ବିଶେଷଜ୍ଞ ରଘୁ ପ୍ରସାଦ ଶତପଥୀ, ସାମାଜିକ କର୍ମୀ ଜ୍ୟୋତି ଶଙ୍କର ମହାନ୍ତି, ଡାକ୍ତର ମିଲନ ମେହେର, ସାମାଜିକ କର୍ମୀ ରାକେଶ କୁମାର ମିଶ୍ର ଏବଂ ପିକକ୍ ର ଦିଶା ପ୍ରକଳ୍ପ ଟିମ୍ର ସଦସ୍ୟମାନେ ପରିଚାଳନା କରିଥିଲେ।
ଦିଶା ପ୍ରକଳ୍ପ ଟିମ୍ର ଏହି ଉଦ୍ୟମକୁ ପ୍ରଶଂସା କରି ପିକକ୍ ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି କହିଥିଲେ, “ରକ୍ତଦାନ ଏକ ମହତ୍ ଦାନ, ଯାହା ଅନେକ ଜୀବନ ବଞ୍ଚାଇପାରେ। ପିକକ୍ ସର୍ବଦା ଏଭଳି ମାନବିକ ଓ ସମାଜ କଲ୍ୟାଣମୂଳକ କାର୍ୟ୍ୟକୁ ପ୍ରୋତ୍ସାହିତ କରିଆସିଛି। ଏହା ସମାଜରେ ସହାନୁଭୂତି, ସହଯୋଗ ଓ ସାମୂହିକ ଦାୟିତ୍ୱବୋଧକୁ ସୁଦୃଢ଼ କରିଥାଏ।”
ଏହି ପଦକ୍ଷେପ ମାଧ୍ୟମରେ ପିକକ୍ ସମାଜ କଲ୍ୟାଣ, ମାନବିକ ସେବା ଏବଂ ଏକ ସୁସ୍ଥ, ସହାନୁଭୂତିଶୀଳ ଓ ସମ୍ବେଦନଶୀଳ ସମାଜ ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା