




ବଲାଙ୍ଗିର, ୧୩ ଅକ୍ଟୋବର (ହି.ସ.)- ଶାରଦୀୟ ନବରାତ୍ରୀର ଆଜି ତୃତୀୟ ଦିବସରେ ମା' ସମଲେଶ୍ୱରୀ, ମା ଦୂର୍ଗା ଓ ଅନ୍ୟ ଦେବୀ ପୀଠ ଗୁଡ଼ିକରେ ମା'ଙ୍କ ଚନ୍ଦ୍ରଘଣ୍ଟା ବେଶ ଅନୁଷ୍ଠିତ ହୋଇଛି। ମା' ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ବିଭିନ୍ନ ଶକ୍ତିପୀଠରେ ଭିଡ଼ ଲାଗି ରହିଛି।
ଚନ୍ଦ୍ରଘଣ୍ଟା ବେଶରେ ମା' ସମଲେଶ୍ୱରୀଙ୍କ ଦର୍ଶନ ଶାରଦୀୟ ନବରାତ୍ରୀର ତୃତୀୟ ଦିନ (ତୃତୀୟା ତିଥି)ରେ ହୋଇଥାଏ । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କୁ ନବରାତ୍ରୀର ପ୍ରତ୍ୟେକ ଦିନ ମା' ଦୁର୍ଗାଙ୍କର ଭିନ୍ନ ଭିନ୍ନ ନବଦୁର୍ଗା ସ୍ୱରୂପରେ ସଜ୍ଜିତ କରାଯାଏ । ଏହି ବିଶେଷ ବେଶର ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରେ ଏହି ଦିନ ମା'ଙ୍କ ମସ୍ତକରେ ଘଣ୍ଟା ସଦୃଶ ଅର୍ଦ୍ଧଚନ୍ଦ୍ର ଶୋଭା ପାଇଥାଏ । ମା'ଙ୍କର ଏହି ରୂପ ଅତ୍ୟନ୍ତ ଆକର୍ଷଣୀୟ ଏବଂ ଦେବୀ ସୁବର୍ଣ୍ଣ ଅଳଙ୍କାର ଓ ଦିବ୍ୟ ବସ୍ତ୍ରରେ ଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମା' ଚନ୍ଦ୍ରଘଣ୍ଟାଙ୍କ ଏହି ସ୍ୱରୂପ ଶାନ୍ତି, ସୌଭାଗ୍ୟ ଏବଂ ବୀରତ୍ୱର ପ୍ରତୀକ ଅଟେ । ଶ୍ରଦ୍ଧାଳୁମାନଙ୍କ ବିଶ୍ୱାସ ରହିଛି ଯେ ମା' ଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ ସମସ୍ତ ପାପ ଓ କଷ୍ଟ ଦୂର ହେବା ସହ ଜୀବନରେ ସୁଖ-ସମୃଦ୍ଧି ପ୍ରାପ୍ତି ହୁଏ । ନବରାତ୍ରୀର ପ୍ରଥମ ଦିନରେ 'ଶୈଳପୁତ୍ରୀ', ଦ୍ୱିତୀୟ ଦିନରେ 'ବ୍ରହ୍ମଚାରିଣୀ' ଏବଂ ତୃତୀୟ ଦିନରେ ଏହି 'ଚନ୍ଦ୍ରଘଣ୍ଟା' ବେଶ ଅନୁଷ୍ଠିତ ହୋଇଥାଏ । ବଲାଙ୍ଗିର ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଶକ୍ତିପୀଠରେ ଏହି ଦିନ ମା'ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।
ଆଜିର ତିଥିରେ ମଙ୍ଗଳବାର ପଡ଼ିଥିବା ଯୋଗୁଁ ବଡି ଭୋରରୁ ମା ଙ୍କ ଦର୍ଶନ ଓ ପୂଜର୍ଚ୍ଚନା ପାଇଁ ଭିଡ଼ ଲାଗି ରହିଛି। ଭକ୍ତମାନେ ଲିଆରେ ପ୍ରସ୍ତୁତ ଭୋଗ ସାମଗ୍ରୀ ସହିତ ଧୂପ, ଦୀପ, ଫୁଲ ଇତ୍ୟାଦି ନେଇ ଶୃଙ୍ଖଳିତ ଭାବେ ଧାଡିରେ ଯାଇ ମା' ଙ୍କୁ ଦର୍ଶନ କରି ପୂଜର୍ଚ୍ଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ