

ସମ୍ବଲପୁର, ୧୩ ଅକ୍ଟୋବର(ହି.ସ.) – ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୩୪ ନମ୍ବର ୱାର୍ଡ ସ୍ଥିତ ଚାରଭାଟି ଠାରେ ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମହାସମାରୋହରେ ଦ୍ୱିତୀୟ ନିଶୁଳ୍କ ଶିକ୍ଷାକେନ୍ଦ୍ର ଉଦଘାଟିତ ହୋଇଯାଇଛି। ଆଦିବାସୀ ଅଧ୍ୟୁଷିତ ଏହି ବସ୍ତିରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କରିବା ପାଇଁ ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ଶିକ୍ଷା କେନ୍ଦ୍ର କାର୍ଯ୍ୟ କରିବ। ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟର ସଭାନେତ୍ରୀ ରାକ୍ଷୀ ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ବଲପୁର ସଦର ଏସଡିପିଓ ତୋଫାନ ବାଗ ଅତିଥି ଭାବେ ଯୋଗଦେଇ ଥିଲେ। ସେ ଉପସ୍ଥିତ ଅଭିଭାବକ ମାନଙ୍କୁ ପୁଅଝିଅଙ୍କୁ ନିଃଶୁଳ୍କ ଶିକ୍ଷା କେନ୍ଦ୍ରକୁ ନିୟମିତ ପଠାଇବା ପାଇଁ ସଚେତନ କରାଇଥିଲେ। ଚାରଭାଟି ଅଂଚଳରେ ବିଭିନ୍ନ ସମୟରେ ବ୍ୟାପକ ବେଆଇନ ନିଶା କାରବାର ହୋଇ ଆସୁଛି। ଏହି ଅଂଚଳରେ ଶିକ୍ଷାର ପ୍ରସାର ସହ ଶିକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି ପାଇ ପାରିଲେ ବହୁତ୍ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଂ ସିଦ୍ଧାର୍ଥ ଦାସ ଏବଂ ଭାରତୀ ସମାଜ'ର ସଂଚାଳକ ଭବାନୀଶ ଭୋଇ, ଦିନେଶ କୁମାର ସେଠ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାର ବିକାଶ ହେଲେ କିପରି ଆଂଚଳିକ ବିକାଶ ହୋଇପାରିବ ସେ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମକୁ ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦକ ସହଦେବ ମୁଣ୍ଡା ପରିଚାଳନା କରିଥିଲେ। ବସ୍ତି ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟର ଏଭଳି ଉଦ୍ୟମକୁ ଅତିଥି ମାନେ ପ୍ରଶଂସା କରିଥିଲେ। ସେହିପରି ଆଦିବାସୀ ସମାଜର ସାମୁହିକ ବିକାଶ ପାଇଁ ଟ୍ରଷ୍ଟ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ପ୍ରତିଦିନ ସନ୍ଧ୍ୟାରେ ଦୁଇ ଘଣ୍ଟା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଶିକ୍ଷୟିତ୍ରୀ ନିଯୁକ୍ତ କରାଯାଇଛି। ଆଜି ଉଦଘାଟନୀ ଉତ୍ସବରେ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କୁ ଖାତା କଲମ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନରେ ଶୁଭମ ମୁଣ୍ଡା, ରଜନୀ ମୁଣ୍ଡା, ସୁସ୍ମିତା ଓରାମ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କେନ୍ଦ୍ରର ଶିକ୍ଷୟିତ୍ରୀ କମଲିନୀ ଓରାମ ଧନ୍ୟବାଦ୍ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ