ଚମ୍ପୁଆରେ ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗ : ନୟାକୃଷ୍ଣପୁର ଅଙ୍ଗନବାଡ଼ି କେନ୍ଦ୍ରରେ ବିନା ସୂଚନା ଫଳକରେ ଚାଲିଛି ନିମ୍ନମାନର ପାଚେରୀ ନିର୍ମାଣ
ଚମ୍ପୁଆ, ୧୩ ଅକ୍ଟୋବର (ହି.ସ.)- ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୁଣି ଥରେ ସରକାରୀ ଅର୍ଥ ହଡ଼ପ ହେବାର ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କୁଟାରୀପଶି ଗ୍ରାମ ପଞ୍ଚାୟତର ନୟାକୃଷ୍ଣପୁର ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲିଥିବା ପାଚେରୀ
କଳା ଇଟାରେ ନିମ୍ନମାନର ପାଚେରୀ ନିର୍ମାଣ


ଚମ୍ପୁଆ, ୧୩ ଅକ୍ଟୋବର (ହି.ସ.)- ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୁଣି ଥରେ ସରକାରୀ ଅର୍ଥ ହଡ଼ପ ହେବାର ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କୁଟାରୀପଶି ଗ୍ରାମ ପଞ୍ଚାୟତର ନୟାକୃଷ୍ଣପୁର ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲିଥିବା ପାଚେରୀ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରତ୍ୟକ୍ଷଦର୍ଶୀ ଓ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ନିର୍ମାଣାଧୀନ ପାଚେରୀ କାର୍ଯ୍ୟ ଅତି ନିମ୍ନମାନର ହେଉଛି। ପାଚେରୀ ପାଇଁ ବ୍ୟବହାର କରାଯାଉଥିବା ନିମ୍ନମାନର କଳା ଇଟା ଗୁଡିକ ଭାଙ୍ଗି ଯାଉଥିବା ଦେଖିବାକୁ ମିଳିଛି। ଏହା ସହିତ ସିମେଣ୍ଟ ଓ ବାଲିର ମିଶ୍ରଣରେ ମଧ୍ୟ ବ୍ୟାପକ ଚଞ୍ଚକତା କରାଯାଉଥିବା ଅଭିଯୋଗ ହେଉଛି। ଯେଉଁଥିରେ ସିମେଣ୍ଟର ମାତ୍ରା ଖୁବ୍ କମ୍ ଏବଂ ବାଲି ଅଧିକ ବ୍ୟବହାର କରାଯାଉଛି । ଫଳରେ ଏହି ପାଚେରୀର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ଭବିଷ୍ୟତରେ ଏହା କୋମଳମତି ଶିଶୁମାନଙ୍କ ସୁରକ୍ଷା ପ୍ରତି ବିପଦ ସାଜିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସରକାରୀ ନିୟମ ଅନୁସାରେ ଯେକୌଣସି ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ଏକ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ। ମାତ୍ର ଏଠାରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ଏହି କାର୍ଯ୍ୟ କେଉଁ ବିଭାଗ ପକ୍ଷରୁ କରାଯାଉଛି, ଏଥିପାଇଁ କେତେ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି ଏବଂ ଏହାର କାର୍ଯ୍ୟକାରୀ ସଂସ୍ଥା କିଏ, ସେ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ସମ୍ପୂର୍ଣ୍ଣ ଅନ୍ଧାରରେ ରଖାଯାଇଛି।

ସୂଚନା ଲୁଚାଇ ନିମ୍ନମାନର କାମ କରିବା ପଛରେ ଠିକାଦାର ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ମିଳିତ ସଲାସୁତୁରା ରହିଛି ବୋଲି ଗ୍ରାମବାସୀ ସିଧାସଳଖ ଅଭିଯୋଗ କରିଛନ୍ତି। ସରକାରୀ ତହବିଲରୁ ମୋଟା ଅଙ୍କର ଅର୍ଥ ହଡ଼ପ କରିବା ଉଦ୍ଦେଶ୍ୟରେ ଏଭଳି ବେଆଇନ ଭାବେ କାର୍ଯ୍ୟ କରାଯାଉଥିବା କୁହାଯାଉଛି। ସ୍ଥାନୀୟ ଜନସାଧାରଣ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ତୁରନ୍ତ ଏଠାରେ ସୂଚନା ଫଳକ ମାରି ସ୍ୱଚ୍ଛତାର ସହ କାମ କରିବାକୁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande