
ଝାରସୁଗୁଡ଼ା, ୧୩ ଅକ୍ଟୋବର (ହି.ସ.)- ଲଇକେରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ହିମାଂଶୁ ବାଗଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି, ଲାଞ୍ଚ କାରବାର, କାର୍ଯ୍ୟାଳୟରେ ଅନୁପସ୍ଥିତି ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମାନସିକ ନିର୍ଯାତନା ଦେବା ଭଳି ଗୁରୁତର ଅଭିଯୋଗ ଆସିଛି। ଏହି ଘଟଣାରେ ଲଇକେରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ନିରପେକ୍ଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ସଂଘର ଅଭିଯୋଗ ଅନୁଯାୟୀ, ବିଇଓ ଶ୍ରୀ ବାଗ ନିୟମିତ ଭାବେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହୁନାହାନ୍ତି। ଏଥିସହ ବିଭିନ୍ନ ସରକାରୀ କାର୍ଯ୍ୟ ଓ ଫାଇଲ ମଞ୍ଜୁର କରିବା ପାଇଁ ବେଆଇନ ଭାବେ ଅର୍ଥ ଦାବି କରାଯାଉଥିବା ସଂଘ ଅଭିଯୋଗ କରିଛି। ଶିକ୍ଷକଙ୍କ ଗ୍ରେଡ୍-୩ ସମ୍ବନ୍ଧୀୟ କାର୍ଯ୍ୟ, ବଦଳି ଓ ପଦୋନ୍ନତି ପାଇଁ ୧୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। ସେହିପରି ପ୍ରଥମ ବେତନ ମଞ୍ଜୁରୀ ପାଇଁ ୧ ହଜାର ଟଙ୍କା ଏବଂ ଏମ୍ଏସିପି, ଆର୍ଏସିପି ମଞ୍ଜୁରୀ ପାଇଁ ୭ ହଜାରରୁ ୧୦ ହଜାର ଟଙ୍କା ଦାବି କରାଯାଉଥିବା ଅଭିଯୋଗ ହୋଇଛି। ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ ଫାଇଲ ପ୍ରସ୍ତୁତି ଓ ମଞ୍ଜୁରୀ ପାଇଁ ୧୦ ହଜାରରୁ ୧୫ ହଜାର ଟଙ୍କା ଏବଂ ସ୍କୁଲ ପରିଦର୍ଶନ ଗାଡ଼ି ଖର୍ଚ୍ଚ ନାମରେ ୧ ହଜାର ଟଙ୍କାରୁ ଅଧିକ ଅର୍ଥ ଆଦାୟ କରାଯାଉଥିବା ସଂଘ ଅଭିଯୋଗ କରିଛି। ଏହାବ୍ୟତୀତ ସ୍କୁଲଗୁଡ଼ିକୁ ମିଳୁଥିବା ବିଓକ୍ୟୁ ଅନୁଦାନ ସମ୍ପର୍କରେ ପ୍ରତ୍ୟେକ ପ୍ରଧାନଶିକ୍ଷକଙ୍କଠାରୁ ୪ ହଜାର ଟଙ୍କା ଲେଖାଏଁ ନିଆଯାଉଥିବା ଦାବିପତ୍ରରେ ଦର୍ଶାଯାଇଛି।
ସେହିପରି ବିନା କାରଣରେ ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏହି ସବୁ ଅଭିଯୋଗକୁ ନେଇ ଶିକ୍ଷକ ସମାଜ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ସଂଘ କହିଛି। ଏହି ପରିପ୍ରେକ୍ଷୀରେ ବିଇଓ ହିମାଂଶୁ ବାଗଙ୍କୁ ତୁରନ୍ତ ଲଇକେରା ବ୍ଲକରୁ ପ୍ରତ୍ୟାହାର କରିବା ସହ ତାଙ୍କ ବିରୋଧରେ ନିରପେକ୍ଷ ତଦନ୍ତ କରି ଦୋଷୀ ପ୍ରମାଣିତ ହେଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷକ ସଂଘ ଦାବି କରିଛି।
ଏହି ଦାବିପତ୍ରର ନକଲ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଝାରସୁଗୁଡ଼ା ବିଧାୟକ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ତେବେ ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ