
ନୂଆଦିଲ୍ଲୀ, ୧୩ ଅକ୍ଟୋବର (ହି.ସ.)- କେନ୍ଦ୍ର ଯୋଗାଯୋଗ ଏବଂ ଉତର-ପୂର୍ବ ଅଂଚଳର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉତର-ପୂର୍ବାଂଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପରମ୍ପରା ଏବଂ ବିକାଶ ସମ୍ଭାବନାକୁ ବୁଝିବା ପାଇଁ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଏଭଳି ଭାବ ବିନିମୟ ଯୁବପିଢ଼ିଙ୍କୁ ଏହି ଅଂଚଳର ବିବିଧତାକୁ ଅତି ନିକଟରୁ ଜାଣିବାର ସୁଯୋଗ ପ୍ରଦାନ କରିଥାଏ । ଏଥି ସହିତ, ସାଂସ୍କୃତିକ ସମ୍ପର୍କ, ପାରସ୍ପରିକ ବୁଝାମଣା ଏବଂ ଜାତୀୟ ଏକତା ସୁଦୃଢ଼ ହୋଇଥାଏ ।
କେନ୍ଦ୍ର ଉତର-ପୂର୍ବାଚଂଳ ବିକାଶ ମନ୍ତ୍ରଣାଳୟ ଅନୁଯାୟୀ, ସିନ୍ଧିଆ ମିଜୋରାମକୁ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ ମିଜୋରାମ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ସମ୍ବୋଧନ କରିଥିଲେ । ମନ୍ତ୍ରଣାଳୟର ଅଷ୍ଟଲକ୍ଷ୍ମୀ ଦର୍ଶନ 'କାର୍ଯ୍ୟକ୍ରମ ଅଧୀନରେ ଉତର-ପୂର୍ବ ଗସ୍ତରେ ଆସିଥିବା ଗୋଆ ଏବଂ ଚଣ୍ଡିଗଡ଼ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ଭେଟିଥିଲେ ଏବଂ ସେମାନଙ୍କ ଅଭିଜ୍ଞତା ଏବଂ ବିଚାର ଉପରେ ଆଲୋଚନା କରିଥିଲେ ।
ମନ୍ତ୍ରଣାଳୟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅଧୀନରେ ୫୯୦ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଉତର-ପୂର୍ବ ଏବଂ ଦେଶର ଅବଶିଷ୍ଟ ଭାଗ ମଧ୍ୟରେ ସଂଯୋଗ ବୃଦ୍ଧି କରିବା ଏବଂ ଯୁବକମାନଙ୍କୁ ଏହି ଅଂଚଳର ପରମ୍ପରା, ସମ୍ପ୍ରଦାୟ ଏବଂ ବିକାଶ ସୁଯୋଗ ସହିତ ପରିଚିତ କରାଇବା । ସିନ୍ଧିଆ କହିଥିଲେ ଯେ, ଏହି ପଦକ୍ଷେପ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ଅନୁରୂପ ଅଟେ । ଏହା ଯୁବ ଭାଗିଦାରୀ ବୃଦ୍ଧି କରିବାରେ, ଦେଶର ବିବିଧତାକୁ ବୁଝିବା ଏବଂ ଭାରତର ବିକାଶ ଯାତ୍ରାରେ ଉତର-ପୂର୍ବର ଭୂମିକାକୁ ସୁଦୃଢ଼ କରିବାରେ ସହାୟକ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ