
ଝାରସୁଗୁଡ଼ା, ୧୩ ଅକ୍ଟୋବର (ହି.ସ.)- ଭାରତ ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ଇସିଆଇ-ନେଟ୍ ପୋର୍ଟାଲରେ ନିର୍ବାଚନ ସାକ୍ଷରତା କ୍ଲବ୍ (ଇଏଲ୍ସି)ର ପଞ୍ଜୀକରଣ, ଅନବୋର୍ଡିଂ ଏବଂ ସଫଳ କାର୍ଯ୍ୟକାରିତା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ତଥା ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୦୬-ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ନୂତନ ‘ଇଏଲ୍ସି ୨.୦ କାର୍ଯ୍ୟକାରୀ ଢାଞ୍ଚା’ ର ସଠିକ୍ ରୂପାୟନ ସୁନିଶ୍ଚିତ କରିବା। ଏହି ଢାଞ୍ଚା ଅନୁଯାୟୀ, ଶିକ୍ଷାନୁଷ୍ଠାନଗୁଡ଼ିକରେ ଗଠିତ ନିର୍ବାଚନ ସାକ୍ଷରତା କ୍ଲବ୍ ଗୁଡ଼ିକୁ ପୋର୍ଟାଲରେ ବ୍ୟବସ୍ଥିତ ଢଙ୍ଗରେ ପଞ୍ଜୀକରଣ କରିବା, ମଡ୍ୟୁଲ୍-ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିବା ଏବଂ ଭୋଟର ସଚେତନତା କାର୍ଯ୍ୟକଳାପର ନିରନ୍ତର ତଦାରଖ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଉକ୍ତ ବୈଠକରେ ଡେପୁଟୀ କଲେକ୍ଟର (ନିର୍ବାଚନ) ଲୋପାମୁଦ୍ରା କାଲୋ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ସାହୁ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ନୋଡାଲ୍ ଅଫିସର ଏବଂ ନିର୍ବାଚନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଯୁବ ତଥା ଭାବୀ ଭୋଟରମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ମତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ