
ଜୟପୁର, ୧୩ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମ୍ମା ସହରର ଏକ ଦୁର୍ଗା ପୂଜା ମଣ୍ଡପ ନିକଟରୁ ୫ କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି ବୋଲି ମଙ୍ଗଳବାର ଦିନ ବନ ବିଭାଗ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମାଣିକେଶ୍ୱରୀ ଦୁର୍ଗା ପୂଜା କମିଟିର ସଦସ୍ୟମାନେ ମଣ୍ଡପ ନିକଟରେ ଦୁଇଟି ବଜ୍ରକାପ୍ତା ବୁଲୁଥିବାର ଦେଖିବାକୁ ପାଇଥିଲେ। ସେଥିମଧ୍ୟରୁ ଗୋଟିଏ ବଜ୍ରକାପ୍ତା ଖସି ପଳାଇବାରେ ସଫଳ ହୋଇଥିବା ବେଳେ କମିଟି ସଦସ୍ୟମାନେ ଅନ୍ୟଟିକୁ ଉଦ୍ଧାର କରି ବନ ବିଭାଗର ବୋରିଗୁମ୍ମା ରେଞ୍ଜ କୁ ଖବର ଦେଇଥିଲେ। ଏହା ପରେ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ହୋଇଥିବା ବଜ୍ରକାପ୍ତା ନିଜ ଅଧୀନକୁ ନେଇଥିଲେ। ଉକ୍ତ ପ୍ରାଣୀଟିକୁ ବୋରିଗୁମ୍ମା ରେଞ୍ଜ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଥିବା ଅଧିକାରୀମାନେ କହିଛନ୍ତି।ବୋରିଗୁମ୍ମା ବନ ରେଞ୍ଜର ଡମ୍ବୁରଧର ଗୋମାଙ୍ଗୋ କହିଛନ୍ତି ଯେ, ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଏକ ସୁରକ୍ଷିତ ଆବାସସ୍ଥଳୀରେ ଛାଡ଼ି ଦିଆଯିବ। ବୋରିଗୁମ୍ମା ସହରର ମୁଖ୍ୟ ଅଞ୍ଚଳରେ ଥିବା ଦୁର୍ଗା ପୂଜା ମଣ୍ଡପ ନିକଟରେ ଦୁଇଟି ବଜ୍ରକାପ୍ତା ଦେଖିବାକୁ ମିଳିବା ଘଟଣା ସେଠାକୁ ଏହି ପ୍ରାଣୀମାନେ କିପରି ଆସିଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ପ୍ରାଣୀମାନେ ନିକଟସ୍ଥ ଜଙ୍ଗଲରୁ ବାଟ ଭୁଲି ଚାଲି ଆସିଥାଇପାରନ୍ତି ବୋଲି ଅନୁମାନ କରାଯାଉଥିବା ବେଳେ, କଥିତ ବନ୍ୟପ୍ରାଣୀ ଚୋରା ଚାଲାଣ ସହ ଜଡ଼ିତ କୌଣସି କାରଣରୁ ସେମାନଙ୍କୁ ସେଠାକୁ ଅଣାଯାଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ତେବେ ସହର ମଧ୍ୟରେ ସେମାନଙ୍କ ଉପସ୍ଥିତିର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଦୁର୍ଗାପୂଜା ମଣ୍ଡପ ନିକଟରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର ପରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଗତକାଲି ବିଳମ୍ବିତ ରାତ୍ରରେ ବୋରିଗୁମ୍ମା ସହରର ମାଣିକେଶ୍ୱରୀ ଦୁର୍ଗା ମଣ୍ଡପ ନିକଟରେ ଦୁଇଟି ବଜ୍ରକାପ୍ତା ବୁଲୁଥିବା ପୂଜା କମିଟିର ସଦସ୍ୟ ମାନେ ଦେଖିଥିଲେ। ଗୋଟିଏ ବଜ୍ରକାପ୍ତା କେଉଁଆଡେ ଚାଲିଗଲା। ଆଉ ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରି ବୋରିଗୁମ୍ମା ବନ ବିଭାଗକୁ ଖବର ଦେଲେ। ବନ ବିଭାଗ ପହଂଚି ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଛି। ବଜ୍ରକାପ୍ତାର ଆନୁମାନିକ ଓଜନ ୫ କିଲୋରୁ ଅଧିକ ହେବ। ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସୁରକ୍ଷିତ ସ୍ଥାନରେ ଛଡାଯିବ ବୋଲି କହିଛନ୍ତି ବନ ଅଧିକାରୀ।
ହିନ୍ଦୁସ୍ଥାନ ସମାଚାର / ପିକେପି