ଝାରସୁଗୁଡ଼ାରେ ସେବା ସଂକଳ୍ପ ଅଭିଯାନ; ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା
Seva sankalp abhajn at sarbahal high school
ଝାରସୁଗୁଡ଼ାରେ ସେବା ସଂକଳ୍ପ ଅଭିଯାନ;


ଝାରସୁଗୁଡ଼ା, ୧୩ ଅକ୍ଟୋବର (ହି.ସ.) - ରାଜ୍ୟ ସରକାରଙ୍କ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଝାରସୁଗୁଡ଼ା ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଏବଂ ସ୍ଲୋଗାନ ପ୍ରତିଯୋଗିତା ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରବାହାଲଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆଂଚଳିକ ପରିବହନ ଅଧିକାରୀ ଗୌରହରି ହାଁସଦା ଏବଂ ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ ତପନ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସଡ଼କ ଦୁର୍ଘଟଣା ରୋକିବା ତଥା ଅମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଉପସ୍ଥିତ ଅଧିକାରୀମାନେ ଦୁଇଚକିଆ ଯାନ ଚଳାଇବା ସମୟରେ ହେଲମେଟ ପରିଧାନ, ଚାରିଚକିଆ ଯାନରେ ସିଟ୍ ବେଲ୍ଟ ବ୍ୟବହାର, ଦ୍ରୁତ ଗତିରେ ଗାଡ଼ି ନଚଳାଇବା, ମଦ୍ୟପାନ କରି ଗାଡ଼ି ନଚଳାଇବା ଏବଂ ନାବାଳକମାନେ ଗାଡ଼ି ଚାଳନାରୁ ବିରତ ରହି ଟ୍ରାଫିକ ନିୟମ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଡିଏଭି ପବ୍ଲିକ ସ୍କୁଲର ବିରାଟ କୁମାର ପ୍ରଥମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ତ୍ରିଶା ଭଣିଶାଲ ଦ୍ୱିତୀୟ ଏବଂ ଏଚଭିଏମ ପବ୍ଲିକ ସ୍କୁଲର ସାଇ ଶ୍ରଦ୍ଧା ପତି ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ସ୍ଲୋଗାନ ପ୍ରତିଯୋଗିତାରେ ଡିଏଭି ପବ୍ଲିକ ସ୍କୁଲର ଶ୍ରଦ୍ଧା ଶାସ୍ତ୍ରୀ ପ୍ରଥମ, ସରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜିଗ୍ନେଶ କର ଦ୍ୱିତୀୟ ଏବଂ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଝାରସୁଗୁଡ଼ାର ଆର୍କିଟେକଚର ମେହେର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଆଗାମୀ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିବହନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande