ଉଚ୍ଚଶିକ୍ଷାର ବିକାଶ ସହ ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦାବିରେ ଛାତ୍ରଙ୍କ ରିଲେ ଅନଶନ ୩୬ ଦିନରେ
Students union agitation is on 36th day
ଉଚ୍ଚଶିକ୍ଷାର ବିକାଶ ସହ ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦାବିରେ ଛାତ୍ରଙ୍କ ରିଲେ ଅନଶନ ୩୬ ଦିନରେ


ଝାରସୁଗୁଡ଼ା, ୧୩ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ଉଚ୍ଚଶିକ୍ଷାର ବିକାଶ ସହ ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦାବିରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଚାଲିଥିବା ରିଲେ ଅନଶନ ମଙ୍ଗଳବାର ୩୬ତମ ଦିନରେ ପହଞ୍ଚିଛି। ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ଦାବି ପୂରଣ ଦିଗରେ ସରକାରୀ ସ୍ତରରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ରଖାଯାଇଥିବା ଚାରି ଦଫା ଦାବି ମଧ୍ୟରେ ଏଲ୍.ଏନ୍. କଲେଜର ସମ୍ପୂର୍ଣ୍ଣ ସରକାରୀକରଣ, ଝାରସୁଗୁଡ଼ା ଯାନ୍ତ୍ରିକ ସ୍କୁଲକୁ ଯାନ୍ତ୍ରିକ କଲେଜରେ ଉନ୍ନୀତ କରିବା, ଉପାନ୍ତ ୧୯ ଖଣ୍ଡ ମୌଜାରେ ସରକାରୀ ଡିଗ୍ରୀ କଲେଜ ସ୍ଥାପନ ଏବଂ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଅନ୍ତର୍ଭୁକ୍ତ ରହିଛି। ଏହି ଦାବିଗୁଡ଼ିକୁ ନେଇ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପର୍ଯ୍ୟାୟକ୍ରମେ ଅନଶନ ଜାରି ରଖିଛନ୍ତି। ଜିଲ୍ଲାରେ ଉଚ୍ଚଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାର ସୁଯୋଗ ଯୋଗାଇଦେବା ପାଇଁ ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଜରୁରୀ ବୋଲି ଆନ୍ଦୋଳନକାରୀମାନେ ଦାବି କରୁଛନ୍ତି।

ଅନ୍ୟପକ୍ଷରେ, ୩୬ ଦିନ ଧରି ଆନ୍ଦୋଳନ ଚାଲିଥିବା ସତ୍ତ୍ୱେ ଦାବିଗୁଡ଼ିକ ଉପରେ ସରକାର କେବେ ଆଲୋଚନା କରିବେ ଏବଂ କେବେ ନିଷ୍ପତ୍ତି ନେବେ, ତାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ଦାବିଗୁଡ଼ିକର ସମାଧାନ ପାଇଁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାର ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଜାତୀୟ ସଙ୍ଗୀତ ଗାନ ପରେ ୩୬ତମ ଦିନର ରିଲେ ଅନଶନ ସ୍ଥଗିତ ରଖାଯାଇଥିଲା। ଆସନ୍ତା ବୁଧବାର ସକାଳ ୧୦ଟାରୁ ୩୭ତମ ଦିନର ଅନଶନ ପୁଣି ଆରମ୍ଭ ହେବ ବୋଲି ସାମ୍ମୁଖ୍ୟ ପକ୍ଷରୁ ଜଣାପଡ଼ିଛି।

ଏହି ଅବସରରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟର ସଭାପତି ଅସୀମ ପଟେଲ, ସଂଗଠନ ସମ୍ପାଦକ ଜିତେନ୍ଦ୍ରୀୟ ଧୁରୁଆ, ଉପସଭାପତି ରବି ରୋହିଦାସ, ସମ୍ପାଦକ ନନ୍ଦୁ ରୋହିଦାସ ଏବଂ ଆଦିବାସୀ ସଂଗଠନର ପ୍ରଭାକର ଓରାମଙ୍କ ସମେତ ବହୁ ଛାତ୍ରନେତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande