
ସୁନ୍ଦରଗଡ଼, ୧୩ ଅକ୍ଟୋବର (ହି.ସ.)- ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଆଜି ସୁନ୍ଦରଗଡ଼ ସଦର ମହକୁମା ଠାରେ ଏକ ଶିବିର ଅଦାଲତ ବା କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଶନ ର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଏବଂ କମିଶନ ର ସଭ୍ୟା ଶ୍ରୀମତୀ ପ୍ରତିଭା ଶତପଥୀ ଏବଂ ଶ୍ରୀମତୀ ମୁକ୍ତା ସାହୁ ଉପସ୍ଥିତ ରହି ବିଭିନ୍ନ ମାମଲା ଗୁଡ଼ିକର ଶୁଣାଣି କରିଥିଲେ।
ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ପ୍ରତ୍ୟେକ ମହିଳା ଯେମିତି ଉଚିତ୍ ନ୍ୟାୟ ପାଇବେ ଏବଂ ସମାଜରେ ସମ୍ମାନର ସହ ଜୀବନ ଯାପନ କରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିଭଳି ମହିଳାମାନେ ଯେଭଳି ନିଜର ମୌଳିକ ଅଧିକାର ସମ୍ପର୍କରେ ଅବଗତ ହେବେ ତଥା ସେହି ମୌଳିକ ଅଧିକାରରୁ ଯେମିତି ସେମାନେ ବଞ୍ଚିତ ନ ହେବେ ସେଥି ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ଏବଂ ଏଥି ନିମନ୍ତେ ବ୍ୟାପକ ଜନସେତନତା ଉପରେ ଆଲୋଚନା କରିଥିଲେ। ସେହିଭଳି ସେ ପରିବାରର ସୁ - ସଂସ୍କାର ଏବଂ ଆଧ୍ୟ।ତ୍ମିକ ଚେତନା ଉପରେ ମଧ୍ୟ ଆଲୋକପାତ କରିଥିଲେ । ପରିବାରର ସୁ- ସଂସ୍କାର ସମାଜରେ ନିର୍ଯାତନାକୁ ହ୍ରାସ କରିବାରେ ବହୁ ମାତ୍ରାରେ ସହାୟକ ହୋଇଥାଏ। ଗୋଟିଏ ପରିବାରରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସୁସମ୍ପର୍କ, ଉଭୟ ପ୍ରତି ସମ୍ମାନ, ଉତ୍ତମ ବୁଝାମଣା ଦ୍ଵାରା ମଧ୍ୟ ନିର୍ଯାତନା ଘଟି ନଥାଏ ଏବଂ ପାରିବାରିକ ସୁଖ ଶାନ୍ତି ବଜାୟ ରହିଥାଏ । ସେହିଭଳି ଯଦି କୌଣସି ମହିଳାଟିଏ ନିର୍ଯାତନାର ଶିକାର ହୋଇ କୌଣସି ଥାନାକୁ ଗଲେ ସେଠାରେ ପୋଲିସ ମାନେ ତାଙ୍କ ପ୍ରତି ସମବେଦନା ଜଣାଇବା ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହିତ ସେ ଯେଭଳି ଉଚିତ୍ ନ୍ୟାୟ ପାଇବେ ସେଥି ପ୍ରତି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଉପସ୍ଥିତ ପୋଲିସ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଆଜିର ଏହି ଶିବିର ଅଦାଲତରେ ମୋଟ ୨୨ ଗୋଟି ମାମଲା ରହିଥିଲା। ଏଥି ମଧ୍ୟରୁ ୧୯ ଗୋଟି ମାମଲାର ଶୁଣାଣି ହୋଇଥିଲା। ସେହିଭଳି କେବଳ ୪ ଗୋଟି ମାମଲାରେ ଉଭୟ ପକ୍ଷ ଉପସ୍ଥିତ ରହିଥିଲେ ଏବଂ ୧୧ ଗୋଟି ମାମଲାରେ କେବଳ ଅଭିଯୋଗକାରୀ ଉପସ୍ଥିତ ରହିଥିଲେ। ସେହିପରି ୪ ମାମଲାରେ କେବଳ ବିପକ୍ଷ ପକ୍ଷ ମାନେ ଉପସ୍ଥିତ ଥିଲେ।
ଏହି ସମସ୍ତ ମାମଲା ଗୁଡ଼ିକ ମଧ୍ୟରେ ୪ ଗୋଟି ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ କରାଯାଇଥିଲା। ସେହିଭଳି ୪ ଗୋଟି ମାମଲାକୁ ଆରକ୍ଷୀ ଅଧିକ୍ଷକଙ୍କୁ ଏବଂ ଗୋଟିଏ ମାମଲାକୁ ଜିଲ୍ଲା ଆଇନ ସେବା ପ୍ରାଧୀକରଣକୁ ପ୍ରେରଣ କରାଯାଇଥିଲା। ସେହିଭଳି ୯ ଗୋଟି ମାମଲାକୁ ପୁର୍ନବାର ଉପସ୍ଥିତ ହେବାକୁ ନୋଟିସ ପ୍ରଦାନ କରାଯାଇଥିଲା ଏବଂ ଅନ୍ୟାନ୍ୟ କାରଣବଶତଃ ଗୋଟିଏ ମାମଲାକୁ ଖାରଜ କରାଯାଇଥିଲା। ଏହି ଅବସରରେ ଆଜି ଗୋଟିଏ ନୂତନ ମାମଲା ମଧ୍ୟ ପ୍ରାପ୍ତ ହୋଇଥିଲା।
ଆଜିର ଏହି ଶିବିର ଅଦାଲତରେ ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ସଦର ଉପଜିଲ୍ଲାପାଳ ତେଜସ୍ଵିନୀ ବେହେରା, ଡି ଏସ ପି ଅମୃତା ନନ୍ଦିନୀ ମହାନ୍ତି, ସଦର ଏସ ଡି ପି ଓ ନିର୍ମଳ ମହାପାତ୍ର, ସୁରକ୍ଷା ଅଧିକାରୀ ସୁଷମା ମିଶ୍ର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ