
ଝାରସୁଗୁଡ଼ା, ୧୪ ଅକ୍ଟୋବର (ହି.ସ.) ଜିଲ୍ଲା ପ୍ରଶାସନ, ଝାରସୁଗୁଡ଼ା ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଦଳ ପରିଚାଳନା ପ୍ରଣାଳୀ (CTMS 2.0) ଅନ୍ତର୍ଗତ ଆୟୋଜିତ ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟାର ଚତୁର୍ଥ ଦିବସର କାର୍ଯ୍ୟକ୍ରମ ଆଜି ସକାଳ ୯ଟାରୁ ଝାରସୁଗୁଡ଼ାସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।
ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଛଅଦିନିଆ ଚୟନ ପ୍ରକ୍ରିୟା ଆସନ୍ତା ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚତୁର୍ଥ ଦିବସରେ ମୋଟ ୨୩ଟି ସାଂସ୍କୃତିକ ଦଳର ପ୍ରାୟ ୪୦୦ କଳାକାର ଅଂଶଗ୍ରହଣ କରିଥିଲେ। ସେମାନେ ପଥପ୍ରାନ୍ତ ନାଟକ, ସଂକୀର୍ତ୍ତନ, ଖଞ୍ଜଣୀ ଭଜନ ଓ ଓଡ଼ିଶୀ ସଙ୍ଗୀତ ଆଦି ବିଭାଗରେ ନିଜ ନିଜର କଳାନୈପୁଣ୍ୟ ଓ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏହି ଚୟନ ପ୍ରକ୍ରିୟାରେ ବିଚାରକ ଭାବେ ଶ୍ରୀ ରମେଶ ସୁନା, ଶ୍ରୀ ନିକୁଞ୍ଜ ବିହାରୀ ମିଶ୍ର ଏବଂ ଇନ୍ଦ୍ରମଣି ପ୍ରଧାନ ଯୋଗଦେଇ ଅଂଶଗ୍ରହଣକାରୀ ସାଂସ୍କୃତିକ ଦଳଗୁଡ଼ିକର ପ୍ରଦର୍ଶନକୁ ମୂଲ୍ୟାଙ୍କନ କରିଥିଲେ। ଚତୁର୍ଥ ଦିବସର କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ବିଚାରକ ରମେଶ ସୁନା ଓ ନିକୁଞ୍ଜ ବିହାରୀ ମିଶ୍ର ଉପସ୍ଥିତ ରହି ଭଜନ ପରିବେଷଣ କରିଥିଲେ।
ଏହି ଚୟନ ପ୍ରକ୍ରିୟାର ଆଗାମୀ ଦୁଇ ଦିନରେ ମଧ୍ୟ ବିଭିନ୍ନ କଳା ବିଭାଗରେ ଚୟନ କାର୍ଯ୍ୟକ୍ରମ ଜାରି ରହିବ।
ଆସନ୍ତା ଅକ୍ଟୋବର ୧୫ ତାରିଖରେ ସମ୍ବଲପୁରୀ ଲାଇଭ୍, ସମ୍ବଲପୁରୀ ରେକର୍ଡ, ପାଲା, ନଚନିଆ, ଘୁଡ଼କା, ଦୁଲଦୁଲି, କିସାନ ନୃତ୍ୟ, ପରମା ନୃତ୍ୟ, କରମସାନି ଓ ଓଡ଼ିଶୀ ନୃତ୍ୟ ଆଦି ବିଭାଗରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ସେହିପରି, ଅକ୍ଟୋବର ୧୬ ତାରିଖରେ ସମସ୍ତ ବିଭାଗର ଚୟନ ପରୀକ୍ଷା ଅନୁଷ୍ଠିତ ହେବ।
ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚୟନ ପ୍ରକ୍ରିୟା ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏହି ଚୟନ ପ୍ରକ୍ରିୟାର ପର୍ଯ୍ୟବେକ୍ଷକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହ ନିର୍ଦ୍ଦେଶକ ଅନୀଲ କେର୍କେଟା ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମର ତଦାରଖ କରିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆଲିସ ପଟେଲଙ୍କ ସମେତ ରାଜେଶ ସେଠ, ଧୀରଜ ରୋଶନ ପ୍ରଧାନ, ମୌସମ ପଟେଲ, ନିହାଲ ଭୋଇ, ରବୀନ୍ଦ୍ର ନିଆଲ, ମନବୋଧ ବଗର୍ତ୍ତି, ସମୀର କିଶାନ, କିଙ୍କନ ନାୟକ ଏବଂ ଶ୍ରୀ ଲିଙ୍କନ କୁମାର ପୃଷେଠ ପ୍ରମୁଖ ସହଯୋଗ କରିଥିଲେ।
ଏଥିସହ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁଡଙ୍ଗ ପଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ।
ଜିଲ୍ଲା ପ୍ରଶାସନ, ଝାରସୁଗୁଡ଼ା ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ଏହି ଚୟନ ପ୍ରକ୍ରିୟା ଜରିଆରେ ଜିଲ୍ଲାର କଳା ଓ ସଂସ୍କୃତିର ସଂରକ୍ଷଣ, ପ୍ରସାର ତଥା କଳାକାରମାନଙ୍କ ପ୍ରତିଭାକୁ ଉଚିତ ମଞ୍ଚ ପ୍ରଦାନ ଦିଗରେ ଏହି ପ୍ରୟାସ ଜାରି ରହିଛି l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ