ମାଲକାନଗିରିରେ ବେଟି ବଚାଓ ବେଟି ପଢ଼ାଓ ସମନ୍ୱୟ ସମିତି ବୈଠକ ଓ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ମାଲକାନଗିରି , ୧୪ ଅକ୍ଟୋବର (ହି.ସ.) ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଏଫଏଲସି କକ୍ଷଠାରେ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ସମନ୍ୱୟ ସମିତି ବୈଠକ ଏବଂ ଡିଜିଟାଲ, ଆର୍ଥିକ, ସାମାଜିକ ଓ ଆଇନଗତ ସାକ୍ଷରତା ଉପରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବୁ
ମାଲକାନଗିରିରେ ବେଟି ବଚାଓ ବେଟି ପଢ଼ାଓ ସମନ୍ୱୟ ସମିତି ବୈଠକ ଓ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ


ମାଲକାନଗିରି , ୧୪ ଅକ୍ଟୋବର (ହି.ସ.) ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଏଫଏଲସି କକ୍ଷଠାରେ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ସମନ୍ୱୟ ସମିତି ବୈଠକ ଏବଂ ଡିଜିଟାଲ, ଆର୍ଥିକ, ସାମାଜିକ ଓ ଆଇନଗତ ସାକ୍ଷରତା ଉପରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବୁଧୁବାର ସଫଳତାର ସହ ସମ୍ପାଦିତ ହୋଇଯାଇଛି।

ଏହି ସମ୍ମିଳନୀରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ, ଜିଲ୍ଲା ପ୍ରଶାସନର ଅଧିକାରୀବୃନ୍ଦ, ପୋଲିସ ବିଭାଗର ପ୍ରତିନିଧି, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସଦସ୍ୟ, ଆଇସିଡିଏସ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା କନ୍ୟା ସନ୍ତାନର ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ସହ ସମାଜ ମଙ୍ଗଳ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ୍ ଏବଂ ଶିଶୁ ସୁରକ୍ଷା ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବା। ଏହାସହ କନ୍ୟାରତ୍ନମାନଙ୍କୁ ଆଧୁନିକ ଡିଜିଟାଲ ଜ୍ଞାନ, ଆର୍ଥିକ ସାକ୍ଷରତା, ସାଇବର ସୁରକ୍ଷା ଏବଂ ସାମାଜିକ-ରାଜନୈତିକ ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପଣ୍ଡା ପ୍ରକାଶ କରିଥିଲେ ଯେ କନ୍ୟା ସନ୍ତାନ ଆମ ସମାଜର ଭବିଷ୍ୟତ ଏବଂ ସମୃଦ୍ଧିର ପ୍ରତୀକ। ପ୍ରତ୍ୟେକ ଝିଅକୁ ଉଚିତ ଶିକ୍ଷା, ସୁରକ୍ଷା ଏବଂ ସମାନ ସୁଯୋଗ ଯୋଗାଇ ଦେବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ।

ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ କହିଥିଲେ ଯେ ଶିଶୁ କନ୍ୟାମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇଦେବା ସହ ସେମାନଙ୍କ ଆଇନଗତ ଅଧିକାର ପ୍ରତି ସଚେତନ କରିବା ଦ୍ୱାରା ହିଁ ଏକ ନିରାପଦ ଏବଂ ବଳିଷ୍ଠ ସମାଜ ଗଠନ ହୋଇପାରିବ। ପରିଶେଷରେ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରି ଜିଲ୍ଲାରେ କନ୍ୟା ସନ୍ତାନଙ୍କ ସର୍ବାଙ୍ଗୀନ ବିକାଶ ଓ ସଶକ୍ତିକରଣକୁ ଆଗେଇ ନେବାକୁ ସଂକଳ୍ପ ଗ୍ରହଣ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande