
ଝାରସୁଗୁଡ଼ା, ୧୪ ଅକ୍ଟୋବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ମରାକୁଟା ଗ୍ରାମପଞ୍ଚାୟତର ବିଜୁ ଜନତା ଦଳ ପରିବାର ପକ୍ଷରୁ ତିହାଡ଼ିପାଲିଠାରେ ବୁଧବାର ଏକ ବନ୍ଧୁମିଳନ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବହୁ ସଂଖ୍ୟକ ପୁରୁଷ ଓ ମହିଳା ଯୋଗଦେଇ ପରସ୍ପରକୁ ନୂଆଁଖାଇର ଶୁଭେଚ୍ଛା ଜଣାଇଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଁଖାଇ ପର୍ବର ମହତ୍ତ୍ୱ, ପରମ୍ପରା ଓ ସାମାଜିକ ଏକତା ସମ୍ପର୍କରେ ଆଲୋକପାତ କରିଥିଲେ। ନୂଆଁଖାଇ କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ, ଏହା ଭାଇଚାରା, ସ୍ନେହ, ସୌହାର୍ଦ୍ଦ୍ୟ ଓ ସାମାଜିକ ସଂହତିର ପ୍ରତୀକ ବୋଲି ସେ ମତବ୍ୟକ୍ତ କରିଥିଲେ।ଏହି ଭେଟଘାଟ କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ନାଗରିକ ବୁଧରାମ ସାହୁ, ବିରଞ୍ଚି ମେହେର, ଟିମରୁ ବାରିକ, ସୁଦାମ ବାରିକ, ଶ୍ୟାମସୁନ୍ଦର ମହାନନ୍ଦ, ନୃପଲାଲ ମେହେର, ଇନ୍ଦୁମତୀ ମେହେର ଓ ସୁଜାତା ମେହେର ପ୍ରମୁଖ ନିଜ ନିଜର ମତ ରଖିଥିଲେ। ସେମାନେ ନୂଆଁଖାଇର ପରମ୍ପରା ଓ ସାମାଜିକ ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମରେ ଆଶିଷ ଗର୍ଡିଆ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସମଗ୍ର ଆୟୋଜନକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ବନ୍ଧୁମିଳନ ଉତ୍ସବ ମାଧ୍ୟମରେ ଅଞ୍ଚଳବାସୀଙ୍କ ମଧ୍ୟରେ ସାମାଜିକ ସଦ୍ଭାବ, ଏକତା ଓ ଭାଇଚାରାକୁ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ