ବେଆଇନ ବାଲି ପରିବହନ ବେଳେ ୨ ହାଇୱା ଜବତ, ଚାଳକ ଗିରଫ
One sand loaded truck with 2 arrest
ବେଆଇନ ବାଲି ପରିବହନ ବେଳେ ୨ ହାଇୱା ଜବତ, ଚାଳକ ଗିରଫ


ଝାରସୁଗୁଡ଼ା, 14 ଅକ୍ଟୋବର (ହି.ସ.), ବେଆଇନ ଭାବେ ବାଲି ପରିବହନ ଅଭିଯୋଗରେ ଝାରସୁଗୁଡ଼ା ବିମାନବନ୍ଦର ଥାନା ପୁଲିସ ଦୁଇଟି ବାଲି ବୋଝେଇ ହାଇୱା ଟ୍ରକ୍ ଜବତ କରିବା ସହ ଦୁଇ ଚାଳକଙ୍କୁ ଗିରଫ କରିଛି। ଗିରଫ ଚାଳକଦ୍ୱୟ ହେଲେ ବିହାରର ସାରଣ ଜିଲ୍ଲାର ବବଲୁ କୁମାର (୩୦) ଏବଂ ବଲାଙ୍ଗୀର ଜିଲ୍ଲାର ନରେଶ ମହାକୁର (୨୬)।

ପୁଲିସ ସୂଚନା ଅନୁଯାୟୀ, ଭୋର ପ୍ରାୟ ସାଢ଼େ ୪ଟା ସମୟରେ ପାଟ୍ରୋଲିଂ ଚାଲିଥିବା ବେଳେ ଦୁଇଟି ହାଇୱାରେ ବେଆଇନ ଭାବେ ବାଲି ପରିବହନ ହେଉଥିବା ଖବର ମିଳିଥିଲା। ଏହି ଗାଡ଼ି ଦୁଇଟି ସୁନ୍ଦରଗଡ଼ ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ଜଣାପଡ଼ିବା ପରେ ପୁଲିସ ଜାତୀୟ ରାଜପଥ-୧୦ର ଗଙ୍ଗରପାଲି ଖଡ଼ିଆପଡ଼ା ନିକଟରେ ଗାଡ଼ି ଦୁଇଟିକୁ ଅଟକାଇ ଯାଞ୍ଚ କରିଥିଲା।

ଯାଞ୍ଚ ସମୟରେ ବାଲି ପରିବହନ ସମ୍ପର୍କିତ କୌଣସି ବୈଧ କାଗଜପତ୍ର ଚାଳକମାନେ ଦେଖାଇ ପାରି ନଥିଲେ। ପଚରାଉଚରା ବେଳେ ସେମାନେ ଗାଡ଼ି ମାଲିକଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ର ଭସ୍ମ ବ୍ରିଜ୍ ଘାଟରୁ ବାଲି ଆଣି ବିକ୍ରି କରିବାକୁ ନେଉଥିବା ସ୍ୱୀକାର କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ଦୁଇଟି ହାଇୱା ଜବତ କରିବା ସହ ଗିରଫ ଚାଳକଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande